STORYMIRROR

Anita Dash

Abstract Romance Fantasy

4  

Anita Dash

Abstract Romance Fantasy

ମରୁବାଲିର ଅନ୍ତଃସ୍ଵର

ମରୁବାଲିର ଅନ୍ତଃସ୍ଵର

2 mins
309


ରେ ପଥିକ !

କିମ୍ପା କର ବୃଥା ଅନ୍ଵେଷଣ ;

ନିରାଶାର କୁଢ଼ କୁଢ଼ ଶବଙ୍କର

ଅବଶେଷ ବାଲୁକା ରାଶିର ସହ

ମୁଁ ତ ସ୍ଵୟଂ ଆଜନ୍ମ ପିପାସୁ !


ଶୁଷ୍କ ଶରୀରକୁ ମୋର ଶତାଘାତେ

ଜର୍ଜରିତ କରିଥାଏ

ତପନର ତୀର୍ଯ୍ୟକ କିରଣ।

ମର୍ମାହତ ଶରୀରରେ ଖାଲି

ଶବ୍ଦହୀନ ଅସୁମାରୀ ଜ୍ଵଳନର କ୍ଷଣ।

ଶୀତଳାଇ ପାରେନାହିଁ ମୋତେ ମୋର

ଦୁର୍ବାର ଇଛାଶକ୍ତିର ଅସଂଖ୍ୟ ସେ ଅନୀଳ ମେଳଣ।


ରେ ପଥିକ!

ମିଛ ମରିଚୀକା କଣ ମୋର ଛଳନାର ସଂଜ୍ଞା !

କିମ୍ପା ଦିଅ ମିଥ୍ୟା ଦୋଷାରୋପ ଏହି ନିରୀହକୁ ?

ଏତ ଖାଲି ମୋ ଉତ୍ତପ୍ତ ପ୍ରାଣ ସହ

ଅନୀଳ ଆଉ ତପନକୁ ନେଇ,

ମୋ ଅନ୍ତହୀନ ଆବେଗ ସହ

ଆଶା ଆଉ ନିରାଶାର

ତ୍ରିକୋଣୀୟ ଗୋଡାଗୋଡି ଖେଳ।


ବୁଝିଛି ମୁଁ;

ଅନ୍ଵେଷଣେ ଧୈର୍ଯ୍ୟ ଚ୍ୟୁତି ଲକ୍ଷ୍ୟ ପରିପନ୍ଥି।

ଅନ୍ତହୀନ ତପସ୍ୟା ମୋ ଯୁଗ ଯୁଗ ଧରି,

ପ୍ରଶାନ୍ତିର ମରୁଝର ସଙ୍ଗମର ସିଦ୍ଧି ଲାଭୋପରେ, କରିବାର ପାଇଁ

କୁଢ଼ କୁଢ଼ ନିରାଶାର ଅସ୍ଥି ବିସର୍ଜନ।


ସେଥିପାଇଁ ପରା;

ମରୁଝଡ଼ ସହ ଭ୍ରମି ପାଗଳର ପ୍ରାୟ

ଖୋଜି ହେଉଥାଏ ମୋର ଚିର ଇପ୍ସିତ

ଅତି ପ୍ରିୟ ସହ ସାଥି ବରଷାର ଧାରେ।

ମରୁଝଡ଼ ସହ ଦେଖି ଭସା ବାଦଲକୁ

ଉତ୍ଫୁଲିତ ହୋଇ ଯାଏ ସହସା ଏ ମନ।

ବିହ୍ଵଳିତ ପ୍ରାଣ ପକ୍ଷୀ ନାଚି ଯାଇଥାଏ

ଭୁଲି ଯାଇ ଅତୀତର

ମହଣ ମହଣ ସେହି କ୍ଳେଶ ଅନୁକ୍ଷଣ।


ଲକ୍ଷ୍ୟହୀନ ଦିଶାଚ୍ୟୁତ ସେହି

ଭସାବାଦଲଟି କିନ୍ତୁ

ପ୍ରବଳ ଉନ୍ମାଦନାର ସହ ନାଚି ନାଚି

ଆଖି ପିଛୁଳାକେ ଚାଲିଯାଏ ବହୁଦୂରେ

ହୋଇ ଯାଏ ନିହାତି ଅଦୃଶ୍ୟ।

ଆଉ ମୁଁ ପୁଣି ଗୁନ୍ଥି ହୋଇଯାଏ ପୂରବତ୍

ମୋ ନିରାଶାର ଅଂଶ ବିଶେଷରେ।


ହଁ କଦବା କ୍ଵଚିତ ସେହି ଭସା ବାଦଲଟି,

ଆପଣାର ଅସୁମାରୀ ଆଶାରୂପୀ ଶୀତଳ ବାୟୁର ସଂବେଦନଶୀଳ ସ୍ପର୍ଶକାତରତାରେ

ବିମୁଗ୍ଧେ ଝରିଯାଏ

ବାଦଲ ଫଟାର ଧାରା ହୋଇ।

ସମୁଦ୍ରେକୁ ଶଂଙ୍ଖେ ପରି

ଛୁଇଁ ଛୁଇଁ ମୁଗ୍ଧ ଶୀତଳତା ମୋତେ

ଆଣିଦିଏ କ୍ଷଣିକ ପ୍ରଶାନ୍ତି।


ହେଲେ !

ମରୁବାଲି କଣ କେବେ ସୁଖେ ଲୋଡେ

ଦିଶାହୀନ ପ୍ରତିଶ୍ରୁତି ହୀନ ସେହି

ଅକସ୍ମାତ କ୍ଷଣିକ ଆବେଗ ଭରା

ବାଦଲ ଫଟାର ଧାରା ?

ତପସ୍ୟା ତା ଲଭିବାକୁ ସଙ୍ଗ

ସେହି ଦିବ୍ୟ ମରୁଝରେ,

ଗଢ଼ିବାକୁ ମରୁଦ୍ୟାନ ନନ୍ଦନ କାନନ।


ରେ ପଥିକ !

ତେଜି ଦିଅ ଯେତେ ସବୁ ଅନ୍ଧ ବୁଝାମଣା

ଆବେଗ ଅନୁକମ୍ପା ଭରା ଏଇ

ନିଷ୍ପାପ ନିରୀହ ଛଳ ଛଳ ମରୁବାଲିକୁ

ଦିଅ ନାହିଁ ନିନ୍ଦା ଅପବାଦ।

ନିୟତିର ତାଡ଼ନାରେ ଯିଏ

ସହି ସହି ଆସୁଅଛି କଷଣର ତାତି !


ଶତବାର କରେ ଅନୁରୋଧ ,;

ତୁମ୍ଭର ସେ

ଅଳିକ ଅସ୍ଥିର ଆବେଗ ଏବଂ

ଅଧୈର୍ଯ୍ୟର ପ୍ରଶ୍ଵାସକୁ ନେଇ

କରନାହିଁ ଅନ୍ଵେଷଣ ମୋର !


ହେ ପଥିକ!

ପୂଣ୍ୟ ଶ୍ଳୋକ ସେ ମହର୍ଷି ଭଗିରଥ ପରି

ଦେଇକି ପାରିବ ଭେଟି ତୁମ୍ଭେ,

ମୋର ସେହି

ଚିର ଇପ୍ସିତ ଦୀର୍ଘ ଦିନର ତପସ୍ୟାର ଫଳ;

ପ୍ରଶାନ୍ତିର ଜାହ୍ନବୀସେ ଦିବ୍ୟ ମରୁଝରେ ? 

ଏବେ ତୁମେ ନିରବ କାହିଁକି ପଥିକ?


ତଥାପି ବି

ଅପେକ୍ଷା ଉପେକ୍ଷା ଆଉ ତିତିକ୍ଷାର ଉର୍ଦ୍ଧ୍ଵେ

ଆଶା ଆଉ ଅଟଳ ବିଶ୍ୱାସ ମୋର

ଜନ୍ମ ଜନ୍ମାନ୍ତର ପାଇଁ ବଦ୍ଧପରିକର

ଭେଟିବାକୁ ଦିନେ ମୋର ମୋକ୍ଷ ମରୁଝର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract