ମୃତ୍ୟୁ
ମୃତ୍ୟୁ
ହେ ମୃତ୍ୟୁ ! ତମେ ଆସ କାଳ ଡୋରି ଧରି
ମୋତେ ବାନ୍ଧି ନେବା ପାଇଁ
ଆଉ କେତେବଳେ ଆସ ତମ ସ୍ପର୍ଶ ନେଇ
ଏକ ପାଉଁଶର ଚିତ୍ର ଆଙ୍କି ଦେବା ପାଇଁ ।।
ସମୟର ନିଷ୍ପେସିତ ବକ୍ଷ ହୁଏ ଥରହର
ଖାଲି ଗୋଟିଏ ସ୍ପର୍ଶ
କେବେ ଚିରୁଡ଼ାଏ ସ୍ବପ୍ନ
ଆଉ କେବେ ମଶାଣି ତୁଳସୀର ଫୁଲ ।।
କୋଳ କରି ଧରିବାକୁ ଯଦି ତମ ଇଚ୍ଛା
କାହିଁ ମୋତେ ହତାଦର କଲ
ମାତୃ ବକ୍ଷରୁ ବଞ୍ଚିତ କରି
ଧରା ପୃଷ୍ଠେ ଅବତରାଇଲ ।।
ହେ ମୃତ୍ୟୁ ! ତମେ ସକଳ ଶକ୍ତିର ଆଧାର
ଗର୍ବ କର ନାହିଁ
ଚୂର୍ଣ୍ଣିଭୂତ ହେବ ତମ ଗର୍ବ
ଆଉ ଭରି ଉଠିବ ତମ କଙ୍କାଳ ମହଲ ।।
ଯଦି ତମେ ତୋଳି ପାର ଦୁଃଖର ପାଚେରୀ
ଆଉ ବିଭ୍ରାଟର ଚିହ୍ନ
ତେବେ ମୁଁ କହିବି ଭୁଲ ଖାଲି ଭୁଲ
ଏ ମନୁଷ୍ୟ ଜୀବନ ।।
ହେ ମୃତ୍ୟୁ ! ଆସ ମୋତେ କୋଳ କରି ନେବା ପାଇଁ
ତମ କାଳରଜ୍ଜୁ ଛନ୍ଦି ଦିଅ
ଧିକ ଏ ମଣିଷ ଜୀବନ
ମୁଣ୍ଡ ପୋତି ବାଟ ଚାଲିଯିବା ପାଇଁ ।।
ହେ ମୃତ୍ୟୁ ! ତମେ ଅମର
ହସିହସି ଆଲିଙ୍ଗନ କର ମୋତେ
ଚାଲିଯିବି ତମ ସାଥେ
ଟିକିଏ ଅଶ୍ରୁ ଆଉ ବିସ୍ମୟର ଚିହ୍ନ ଦେଇ ।।
ଠକ୍ ଠକ୍ କରିବାକୁ ଲୋଡା ନାହିଁ
ଦ୍ଵାର ମୋର ଖୋଲା ଅଛି
ଚାଲିଆସ ନିର୍ଭୟରେ
ଟିକିଏ ସ୍ପର୍ଶ ଓ ସ୍ନେହର ସୁରାଗକୁ ନେଇ ।।
ହାତ ଦିଅ ମୃତ୍ୟୁ ତମେ
ଉଠିବାକୁ ବଳ ମୋର ହେଉନାହିଁ
ଆଶାବାଡି ସାଜ ତମେ
ଆଜି ସେପୁରକୁ ଚାଲି ଯିବା ପାଇଁ ।।
ରବି ତେଜ ମଉଳି ଗଲାଣି
ନାହିଁ ଲୋକ ଖାଲି ଅନ୍ଧକାର
ଜାଣି ହେଉନାହିଁ କେଉଁଠାରେ ଲିଭିଗଲା
ସେ ଦିକ୍ ଦିକ୍ ହୋଇ ଜଳୁଥିବା ଦୀପ ।।
ସଙ୍ଗେ ଘେନିଚାଲ ତମ ବଟୁଆ ଆଉ ଥକଡ ଥକଡି
ପାପ ଆଉ ପୂଣ୍ୟର ଭାଣ୍ଡ
ତୁଟିଲା ସଂସାର ମାୟା ଆଉ ମୋହ
ଚ୍ଛିନ୍ନ ହେଲା ସବୁ ବନ୍ଧନ ।।
କ୍ରନ୍ଦନର ଭୟଭୀତ ହୁଅ ନାହିଁ
ମୃତ୍ୟୁ ତମେ କୋଳ କର
ଛାଡ଼ି ଚାଲ ଶରୀର ହେଲାଣି ନିସ୍ତେଜ
ଆଉ ମନ ହୁଏ ଥର ହର ।।
ଏବେ କୁହ ମୃତ୍ୟୁ କାହିଁକି
ମୋ ପାଇଁ ଘଢିଥିଲ ଏ ସଂସାର
କ'ଣ ଏ ସମୟର ଅପେକ୍ଷା ପାଇଁ
ଅବା ତମ ଉତ୍କଟ ହାସ୍ୟରେ ଧରାକୁ ଥାରାଇବା ପାଇଁ ।।
ହେ ମୃତ୍ୟୁ ! ତମେ ମୋତେ ପ୍ରତିଜ୍ଞା କର
ଏ ସଂସାର ଏ ମାୟା ବନ୍ଧନକୁ
ଆଉ କେବେ ପ୍ରକ୍ଷେପିବ ନାହିଁ
ଆଉ କେବେ ପ୍ରକ୍ଷେପିବ ନାହିଁ
ହେ ମୃତ୍ୟୁ ! ତମେ ଅମର ତମେ ଅମର ।।
