STORYMIRROR

Aishwarya Mishra

Tragedy Inspirational

3  

Aishwarya Mishra

Tragedy Inspirational

ମୃତ କବି

ମୃତ କବି

1 min
18

ତୁମ ଶବ୍ଦର ନିଷିଦ୍ଧ ଇଲାକାରେ

ମୋ ନୀରବତା ନିର୍ବିଘ୍ନରେ 

ରାଜୁତି ଆରମ୍ଭ କରିବା ପୂର୍ବରୁ

ତୁମକୁ ମୁଁ ଭେଟି ଦେଉଛି

କେତୋଟି ନିଃସ୍ଵ କବିତା


ସେ କବିତାସବୁ ତୁମ କବିପଣରେ

ସମୃଦ୍ଧ ହୋଇପାରନ୍ତି

କିନ୍ତୁ ତା'ର ପ୍ରତିଟି ପଦ ଏବେ ବି

ମୋ ଭାବନାରଜ୍ଜୁରେ ଯେ ଆବଦ୍ଧ !


ତୁମେ ଅତି ସହଜରେ ମୋ ଠାରୁ 

ଛଡ଼ାଇ ନେଇପାରିଲ ମୋ କବିତାସବୁକୁ

କିନ୍ତୁ

ଥରେ ଭାବି ଦେଖ ତ 

ମୋ କବିତା ଭିତରୁ

କ'ଣ କେବେ ଅଲଗା କରିପାରିବ

ମୋ ସକଳ ଭାବନାର

ଅମ୍ଳାନ ଐଶ୍ବର୍ଯ୍ୟ ସତ୍ତାକୁ!


ତୁମ ଭଲ ପାଇବାର

ଶେଷ ସନ୍ତକ ରୂପେ

ମୁଁ ତୁମକୁ ଭେଟି ଦେଉଛି

ମୋର କିଛି ଏକାନ୍ତ ନିଜସ୍ଵ କବିତା

ଯାଅ ତୁମ ପାରିବାପଣରେ

ସଜାଇନିଅ ସେଗୁଡିକୁ


କବି ବୋଲି ଗର୍ବରେ

ଛାତି ଫୁଲାଇ ଦେଖେଇ ହୁଅ

ଦୁନିଆଁ ଆଗରେ

କେବଳ ଏତିକିରେ ଯଦି

ମିଳିଯିବ ସନ୍ତୋଷ

ମୁଁ ଦେଉଛି ତୁମକୁ ସେ ଅଧିକାର


ନିଜ ଭିତରେ ଥିବା 

ସମଗ୍ର ଅହଙ୍କାରର ଅନ୍ଧଶ୍ରଦ୍ଧାରୂପୀ 

ସ୍ବରଚିତ ଚକ୍ରବ୍ୟୁହ ମଧ୍ୟରେ

ମୃତ ଏକ କବିପଣକୁ ନେଇ

ଯଦି ତୁମେ ଲଭିପାରୁଛ

ଆତ୍ମ ସନ୍ତୋଷ !


ତେବେ ବଞ୍ଚିରହିଥିବା

ଏକ ସୁସ୍ଥ ମଣିଷ ଭିତରେ

କାହିଁ କେଉଁଠି ଲୁଚି ରହିଥିବା

ଏକ ମୃତକବିଙ୍କ ଉଦ୍ଦେଶ୍ୟରେ

କବିତା ପଲ୍ଲବରେ ସୁଶୋଭିତା 

ମୋର ଏକ ଶେଷ ଶ୍ରଦ୍ଧାଞ୍ଜଳି

ସାଦରେ ଗ୍ରହଣ କର ତୁମେ !!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy