ମୃଗତୃଷ୍ଣା
ମୃଗତୃଷ୍ଣା
ସ୍ୱାର୍ଥାନ୍ଧ ପଥିକ ସଦା ଅନ୍ୟାସକ୍ତ ସ୍ୱାର୍ଥ ସୋପାନରେ ସାହା
ଅପରାହ୍ନ ଅନ୍ତେ ସାୟାହ୍ନ ଆସନ୍ତେ ଖୋଜେ ଜୀବନର ରାହା ।
ଠିକାଦାର ଏହି ଶରୀର ଆଶ୍ରୟୀ ବାଧ୍ୟବାଧକତା ବଶୁଁ
ସ୍ୱକୃତ ବିବଶ ଅବା ମନ ରୋଷ ହେତୁଁ କାନ୍ଦୁ କିମ୍ବା ହସୁ ।
ଏ' ରଙ୍ଗମଞ୍ଚଟା ଦୁଃଖ-ସୁଖ-ଥଟ୍ଟା ଅଭିନୟ ପରେ ଶୂନ୍ୟ
ସୃଷ୍ଟି ଅଭିପ୍ରାୟ ସମର୍ଥନେ ଜୟ ମଣିଷ ଜୀବନ ଧନ୍ୟ ।
ଜୀବନ ଦିଦିନିଆଁ ଦିଦିନ କୁଣିଆଁ ଆଜି ଅଛି କାଲି ନାହିଁ
ନିଃଶ୍ୱାସକୁ ବାରେ ବିଶ୍ୱାସ ନାହିଁରେ ଅହଂକାରୀ ହେଉ କାହିଁ !!
ଅହଂକାର ଗର୍ବ ସନମାନ ସର୍ବ ଜୀବନ ଯାକର ରଙ୍ଗ
ପାଲଟିବ ଅଶ୍ମ ମହାତୀର୍ଥେ ଭସ୍ମ ମହାନିଦ୍ରା ଦେବ ସଙ୍ଗ ।
ପ୍ରତିସ୍ପର୍ଦ୍ଧା ମାନ ପ୍ରତିହତ ଜାଣ ଶରୀରଠୁଁ ପ୍ରାଣ ଭିନ୍ନ
ସଞ୍ଚିତ ପାର୍ଥିବ ସ୍ୱାର୍ଥ ଲୁଟି ନେବେ ସ୍ୱାର୍ଥୀ ଆତ୍ମୀୟସ୍ୱଜନ ।
କ୍ଷଣିକ ଜୀବନୀ ସବୁ ସତ୍ୟ ଜାଣି ଆବୋରିଛି ସବୁ ମାୟା
ଯା' କୁ ପାଣି ବୁଝେ ଯା' କାୟରେ ହଜେ ସେ ବି ମରୀଚିକା ଛାୟା ।