କୁନି କୁନି ଆମେ ତାରାଫୁଲ
କୁନି କୁନି ଆମେ ତାରାଫୁଲ
କୁନି କୁନି ଆମେ ତାରା ଫୁଲ
ନୀଳ ଆକାଶକୁ ପାଉ ଭଲ ,
ଝିକି ଝିକି ଝିକି ଆଲୋକ ଆମର
ବୁଝିଛ କି କେବେ ଆମ ମୂଲ ?
ନିରୀହ ଆଖିରେ ସ୍ୱପ୍ନ କେତେ
ବଗିଚାରେ ଥାଏ ଫୁଲ ଯେତେ
ଆଶା ଯାହା ଟିକି ହୃଦୟର
ପଚାରି ଅଛ କି ତୁମେ ସତେ?
କାମ କାମ କହି ଦୂରେ ଯାଅ
ବହି ବସ୍ତାନିକୁ ଲଦି ଦିଅ,
ହାଲିଆ ହୋଇ ମୁଁ ଶୋଇଗଲା ପରେ
କବାଟ ପାଖରେ ଦେଖିଯାଅ ।
ଇଚ୍ଛା ହୁଏ ଯେବେ ଗପିବାକୁ
କେବେ ଗପ ଶୁଣି ଶୋଇବାକୁ ,
ଖେଳନା ସାଥିରେ କଥା ହୁଏ ଯାଇ
ତାକୁ କହେନାହିଁ କହିବାକୁ ।
ପର ପାଖେ ଯେବେ ଛାଡ଼ ମତେ
ଦୟା ଆସେ ନା କି ମନେ ସତେ,
ତା' ହାତରୁ କେତେ ମାଡ଼ ଖାଏ ହେଲେ
ସେଇଠି ସମୟ ମୋର ବିତେ ।
ଯେବେ କାନ୍ଦେ ମୋର ଆଖି ଦୁଇ
କୋଳେଇ ନେବାକୁ କେହି ନାହିଁ,
ଶରୀର ମନର କଷ୍ଟ ଯେତେ ସବୁ
ରହେ ଛାତି ତଳେ ବନ୍ଦୀ ହୋଇ ।
ଟଙ୍କା ପଛେ ତୁମେ ହେଲ ବାଇ
ପିଲା ପାଇଁ ତୁମ ବେଳ କାହିଁ,
ଭବିଷ୍ୟତ ତୁମ କଠୋରେ ହେଲାଣି
ନିଃସଙ୍ଗ ଜୀବନ ଜିଇଁ ଜିଇଁ।
ଜଣା ନାହିଁ ମୋତେ ଶ୍ରଦ୍ଧା ସ୍ନେହ
ପ୍ରେମ ଭକ୍ତି ଆଉ ଯେତେ ମୋହ ,
ମିଠା କଥା ଆଉ ସମ୍ମାନ ଟିକିଏ
ଏବେ କାଇଁ ଆଶା କର କୁହ ।