ସଭିଏଁ କର୍ମରେ ଲୀନ
ସଭିଏଁ କର୍ମରେ ଲୀନ
ପୂରୁବ ଦିଗରେ ଅନ୍ଧାରକୁ ଭେଦି
ଉଠିଲେଣି ଦିନମଣି,
ତରୁ କୋଳଛାଡ଼ି ବିହଙ୍ଗ ଉଠିଲେ
କଳରବ ଶୁଭିଲାଣି ।
ବୃକ୍ଷ ଡାଳେ ପୁଷ୍ପ ପାଖୁଡ଼ା ମେଲେଇ
ଖିଲି ଖିଲି ହସିଲେଣି,
ମଧୁମକ୍ଷୀ ସଙ୍ଗେ ଭ୍ରମର ଉଠିଣ
ମଧୁ ଖୋଜି ବୁଲିଲେଣି ।
ଗୁହାଳେ ଗୋମାତା ହମା ଡାକିଲେଣି
ଗଞ୍ଜା ଡାକେ ଭାଡ଼ି ପରେ,
ପଞ୍ଜୁରୀରେ ଶୁଆ ରାମ ନାମ ଜପି
ସକାଳ ଆରମ୍ଭ କରେ।
ପିମ୍ପୁଡ଼ି ଜନ୍ଦା ଏ ଧାଡ଼ି ଧାଡ଼ି ହୋଇ
ଗଲେଣି ଖାଇବା ଖୋଜି,
ଶ୍ଵାନ ମାନେ ପରା ଚଞ୍ଚଳ ହେଲେଣି
ଯିବେ ଖାଇବାକୁ ଭୋଜି ।
ଉଠିଯାଇ ଦେଖ ସୁନ୍ଦର ସକାଳେ
ସଭିଙ୍କ କର୍ମରେ ମନ,
ଆଳସ୍ୟ ପଣରେ ଶୋଇ ରହି ପିଲେ
ସରାଅନି ତୁମେ ଦିନ ।
ଆମଠାରୁ ଛୋଟ କେତେ ଜାତିକୀଟ
ଅବିରତ କର୍ମେ ଲୀନ,
ନିଜକୁ ନିରୋଗ ସତେଜ ଚଞ୍ଚଳ
ରଖିବାରେ ତାଙ୍କ ଧ୍ୟାନ ।
ଦେଶର ସୀମାରେ କେତେ ଯେ କଷ୍ଟରେ
ଆମରି ସୌନୀକ ରହେ,
ତାଙ୍କ ଦେଶପ୍ରିତି ତ୍ୟାଗ ସେବା ପରା
ବୀରତ୍ଵର ଗାଥା ଗାଏ ।
ନିଜ ଉପଯୋଗୀ କର୍ମ କରିଚାଲ
ଆନନ୍ଦ ମନରେ ସଦା,
କେବେ ଜୀବନରେ ଦୁଃଖି ହୋଇ ବନି
ହେବନାହିଁ ଅସୁବିଧା ।