ମୋର ନଅ ଜଣ ଗୁରୁ
ମୋର ନଅ ଜଣ ଗୁରୁ


ଶବ୍ଦ ଯେ ଭରିଲା ଟିକି ଓଠେ ମୋର
ଚଲାଇଲା ହାତ ଧରି,
ଜନନୀ ରୂପରେ ପ୍ରଥମ ଗୁରୁ ସେ
କେହି ନୁହଁ ତାର ସରି ।
ସାହସ ଦେଇ ଯେ ଶିଖାଇଲେ ମୋତେ
ଜୀବନ ଯୁଦ୍ଧ ରହସ୍ୟ,
ଦ୍ଵିତୀୟ ଗୁରୁ ସେ ପିତା ପ୍ରାଣ ଦାତା
ମୁଁ ଯେ ପୁତ୍ର ରୂପୀ ଶିଷ୍ୟ ।
ଅକ୍ଷର ଜ୍ଞାନ ମୁଁ ପାଇଲି ଯାହାଠୁ
ଶିଖିଲି ଶୁଦ୍ଧ ଲିଖନ,
ଚକ କଳ ଅଖ ପଢି ବଡ଼ ହେଲି
ତୃତୀୟ ଗୁରୁ ମହାନ ।
ସାହିତ୍ୟ ବିଜ୍ଞାନ ଭୂଗୋଳ ଗଣିତ
ଶିଖାଇଲେ ମୋତେ ଯିଏ,
ନୀତି ଶିକ୍ଷା ଦେଇ ବଢାଇଲେ ପୁଣି
ଚତୁର୍ଥ ଗୁରୁ ମୋ ସିଏ ।
ସାଙ୍ଗ ସାଥି ଠାରୁ ଶିଖିଲି କେତେ ମୁଁ
ଖେଳକୁଦ ନାଚ ଗୀତ,
ସେଇମାନେ ମୋର ପଞ୍ଚମ ଗୁରୁ ଯେ
ତାଙ୍କୁ କରେ ପ୍ରଣିପାତ
।
ରୂପସୀ ପ୍ରେୟସୀ ସୁନ୍ଦରୀ ଷୋଡ଼ଶୀ
ଶିଖାଇଲା ମୋତେ ପ୍ରେମ,
ଷଷ୍ଠ ଗୁରୁ ମୋର ଧୋକା ଦେଇ ପୁଣି
କଲା ମୋତେ ବଦନାମ ।
ସପ୍ତମ ଗୁରୁ ମୋ ଭାଇ ଭଉଣୀଏ
ଅତୁଟ ସ୍ନେହ ବନ୍ଧନ,
ଶିଖିଛି ତାଙ୍କଠୁ ତ୍ୟାଗର ମହତ୍ୱ
ପୁଣି ରାଗ ଅଭିମାନ ।
ପ୍ରାଣ ପ୍ରିୟା ପତ୍ନୀ ଶିଖାଇଛି ମୋତେ
ଜୀବନ ଜଞ୍ଜାଳ କର୍ମ,
ଅଷ୍ଟମ ଗୁରୁ ସେ ସହଯୋଗୀ ହେଇ
ପାଳୁଛି ସଂସାର ଧର୍ମ ।
ପଡେ଼ାଶୀଙ୍କଠାରୁ ଶିଖିଅଛି ମୁହିଁ
ମିଳାମିଶା ଦିଆନିଆ,
ବିପଦେ ଆପଦେ ନବମ ଗୁରୁ ମୋ
ପାଖେ ହେଉଛନ୍ତି ଠିଆ ।
ନଅ ଗୁରୁ ମୋର ଗର୍ବ ଗଉରବ
ସନମାନ ସ୍ୱାଭିମାନ,
ସେମାନଙ୍କ ପାଇଁ ମୁଣ୍ଡଟେକି ଆଜି
ହୋଇଛି ଦଣ୍ଡାୟମାନ ।