ମୋ ପ୍ରିୟା
ମୋ ପ୍ରିୟା
ରୂପରେ ମାଧୁରୀ ଗୁଣରେ ଚାତୁରୀ
ମୋ ମନ ମାନସୀ ପ୍ରିୟା ।
ହସିଦେଲେ ଥରେ ଫୁଲ ବରଷିବ
ରୁଷିଲେ ଲାଗିବ ନିଆଁ ॥
ଫୁଲଠୁ କୋମଳ ଜହ୍ନଠୁ ଶୀତଳ
ସବୁଠୁଁ ସୁନ୍ଦର ପ୍ରିୟା ।
ଷୋହଳ ବୟସୀ ନଦୀଠୁଁ ଅଳସୀ
ମନକୁ କରେ କିମିଆଁ ॥
ଚାଲିରେ ତାହାର ଫୁଟଇ କମଳ
ନୟନ ଭ୍ରମର ଭଳି ।
କୁନ୍ତଳରେ ତାର କଳାମେଘ ଛଟା
ଚମ୍ପା କଢି ତା ଅଙ୍ଗୁଳି ॥
ହସରୁ ତାହାର ଝରଇ ମୁକୁତା
କଥାରୁ ଝରଇ ମହୁ ।
ତା ରୂପ ଆଗରେ ଜହ୍ନ ଲୁଚିଯିବେ
ତାରାଗଣ ପଛେ ଥାଉ ॥
ବଡ ଅଭିମାନୀ ଅଟେ ମୋର ପ୍ରିୟା
ତା ସାଥେ ସରି କେ ହେବ ।
ଟିକେ ଚୁଲୁବୁଲି ଟିକେ ଲାଜକୁଳି
କା ସଙ୍ଗେ ଉପମା ଦେବ ॥
ସୁନା ରୁପା ପାଇଁ କରେନା ସେ ଅଳି
ଦିପଦ କଥାରେ ଲୋଭ ।
ପ୍ରେମଭରା କଥା କହିଦେଲେ ପଦେ
ମନ ହୋଇଯାଏ ବୋଧ ॥
ବାଲିଘର ପରି ମନ ନୁହେଁ ତାର
ଭାଙ୍ଗି ଦେବ ତାକୁ ଢେଉ ।
ପ୍ରେମର ମୀନାର ମନରେ ତୋଳିଛି
ଯୁଗେ ଯୁଗେ ରହି ଥାଉ ॥
ସ୍ମୃତି ଆଇନାରେ ଦେଖାଯାଏ ଆଜି
ଅଭୁଲା ମୁହଁଟି ତାର ।
ଯେତେ ଭାବୁଥାଏ ନୂଆ ଲାଗୁଥାଏ
ସୌନ୍ଦର୍ଯ୍ୟର ଗନ୍ତାଘର ॥