ସନ୍ଧ୍ୟା
ସନ୍ଧ୍ୟା
ହେଲା ସନ୍ଧ୍ୟାକାଳ ନିଜ ନିଜ ନିଡ଼େ
ଗତିକଲେ ପକ୍ଷୀ ଗଣ,
ଲୋହିତ ବରଣେ ପ୍ରତୀଚୀ ଅଚଳ
ଚୂଳେ ବିଜେ ଅଂଶୁମାନ l
କୁଂକୁମିତ ଦେଖି ବାରୁଣୀ ଗଗନ
ଏମନ୍ତ ହୁଏ ପ୍ରତୀତ,
ରବି ରଙ୍ଗକାର ହିଙ୍ଗୁଳେ ରଙ୍ଗେ କି
ହୋଇଛି ଏହା ଚିତ୍ରିତ l
ବାରୁଣୀ ତରୁଣୀ ସଜାଇ ପିନ୍ଧିଛି
କି ଅବା ରଙ୍ଗ ବସନ,
ତା ମଥା ସିନ୍ଦୁର ବିନ୍ଦୁ ପ୍ରାୟ ରବି
ମଣ୍ଡଳ ଦିଶେ ଶୋଭନ l
ସରୋବର ନିରେ ଦୁଃଖିତ ଅନ୍ତରେ
ମୁଖ ମୁଦିଲା ପଦ୍ମିନୀ,
ବନ୍ଧୁ ଆଗମନେ ସମୟ ନିରେଖି
ହରସିତା କୁମୁଦିନୀ l
ବଗୁଲା ବଗୁଲି ଦୁଃଖରେ ଗମିଲେ
ସର ବିପରିତେ କୂଳେ,
ହଂସରାଳୀ ଦଳ ଉଡି ଗତି କଲେ
ସନ୍ନିକଟ ଗିରି ଚୁଳେ l
କୁସୁମ କୁଟୁମ୍ବ ବିକାଶେ ଉନ୍ମୁଖ
ହେଲେ ବନେ ଉପବନେ,
କ୍ରୋଟର ଭିତରୁ ବାହାରି ଦିବାନ୍ଧେ
ଭ୍ରମିଲେ ହରଷ ମନେ l
କ୍ରମେ କ୍ରମେ ଛାୟା ଗଭୀର ହୋଇଲା
ତାରା ମୟ ହେଲା ବ୍ୟୋମ,
ଅବନୀ ମଣ୍ଡଳ କରି ଧବଳିତ
ଉଦୟ ହୋଇଲେ ସୋମ l।