ବିଷୁବ ସଂକ୍ରାନ୍ତି
ବିଷୁବ ସଂକ୍ରାନ୍ତି
ଚଇତର ଅନ୍ତେ ହୁଏ ବଇଶାଖ ପ୍ରବେଶ
ବିଷୁବ ସଂକ୍ରାନ୍ତି ଆଣେ ସଂଗେ ନୂଆ ବରଷ।
ପଣାସଂକ୍ରାନ୍ତି ନାମେ ଅଟେ ଏହା ଖ୍ୟାତ
ଏହିଦିନ ଠାରୁ ହୁଏ ବସନ୍ତର ଅନ୍ତ।
ମହାବଳୀ ହନୁମାନଙ୍କର ଜନ୍ମଦିନ
ଭକ୍ତିରେ ପାଳନ କରିଥାନ୍ତି ସର୍ବଜନ।
ଗିରିଷମ ଋତୁ ଏହି ଦିନ ଠାରୁ ଆଶେ
ଧରଣୀ ରାଣୀର ରୂପ ନୂଆ ନୂଆ ଦିଶେ।
ଶୀତର ଶୀତଳ ବାଆ କେଣେଗଲା ଚାଲି
ବଇଶାଖ କୋପେ କିବା ପଥ ଗଲା ଭୁଲି।
ହଜିଛି ଋତୁରାଜର ମନଲୋଭା ହସ
ଭାଙ୍ଗି ଯାଇଅଛି ବୋଧେ କୋଇଲିର ବାସ।
ଶୁଣାଯାଉ ନାହିଁ କାହିଁ କୁହୁ କୁହୁ ତାନ
ଅଧୀର ନହୁଏ ଆଜି କାହିଁ ପାଇଁ ମନ।
ନାହିଁ ବସନ୍ତ ମଳୟ ଅଛି ଝାଞ୍ଜି ଚଇତାଳି
ରୌଦ୍ର ତାପେ ଦେହ କିବା ଯାଉ ଅଛି ଜଳି।
ନିଦାଘରେ ମନ ଖୋଜେ ସୁଶୀତଳ ଜଳ
ପାଟି ଖୋଜେ ଫୁଟି ସଂଗେ ତରଭୁଜ ଫଳ।
ଅବଢାର ପାଣି ଆଉ ଗାଁ ମୁଣ୍ତ ପଣା
ପିଇ ଦେଲେ ଥରେ ମନ ହୋଇ ଯିବ ବଣା।
ଗାଁ ସୀମନ୍ତିନୀ ଧରି ବନ୍ଦାପନା ଥାଳି
ମୁଖେ ଉଚ୍ଚାରଣ କରନ୍ତି ଯେ ହୁଳହୁଳି।
ବନମାଳୀ ପ୍ରିୟା ଶିରେ ବାନ୍ଧିଣ କୋଡୁଆ
ପୂଜନ୍ତି ସତୀଙ୍କୁ ଦେଇ ପଣା ଓ ନଡିଆ।
ମହା ବିଷୁବ ସଂକ୍ରାନ୍ତି ତୁମେ ଓଡିଶାର ଗର୍ବ
ଓଡିଆଙ୍କ ପରିଚୟ ତୁମେ ଶ୍ରେଷ୍ଠ ପର୍ବ।