ଆ ଜହ୍ନରେ କରିବା ଘର
ଆ ଜହ୍ନରେ କରିବା ଘର


ଅନେକ ପ୍ରତୀକ୍ଷାର ଅନ୍ତ ଘଟିଛି
ମିଳି ଯାଇଛି ମାମୁଁ ଘର,
ପୃଥିବୀ ମାଆଟି ଭଲ ଲାଗୁ ନାହିଁ
ଆ ଜହ୍ନରେ କରିବା ଘର ।
ଆସ ପ୍ରିୟା ମୋର ମଉଜ କରିବା
ଜହ୍ନମାମୁଁ ଦେଶକୁ ଯାଇ,
ଅଜାଙ୍କୁ ମାଗିବା ଜାଗାଟିଏ ସେଠି
ମନା କରିବନି ମୋ ଆଈ ।
ବିକ୍ରମ ଯାଇଛି ପ୍ରଜ୍ଞାନକୁ ଧରି
ଜାଗା ଦେଖି ଦେବ ଖବର,
ରୂପେଲି ଚାନ୍ଦରେ ଘରଟିଏ ତୋଳି
ଲେଖିଦେବି ନାଁ ଟି ତୁମର ।
ଲାବଣ୍ୟବତୀ ମୋ ବିଳମ୍ବ କରନି
ଦିନ କାଳ ସରି ଆସୁଛି,
ଚଉଦ ଦିନ ରହି ବିକ୍ରମ ପ୍ରଜ୍ଞାନ
ଫେରିତ ଆସିବ କହିଛି ।
ମାଟି ଗଛ ଲତା ଜଳବାୟୁ କଥା
ବୁଝି ନେବା ତାଙ୍କ ପାଖରୁ,
ମର୍ତ୍ତ୍ୟ ଭୁବନର ମୋହ ମାୟା ସବୁ
ପୋଛି ଦିଅ ତୁମ ମନରୁ ।
ନିଜ ନିଜ ସ୍ଵାର୍ଥ ସଭିଏଁ ଦେଖନ୍ତି
ଏଠି କେହି ନୁହେଁ କାହାର,
&nbs
p; ଚିହ୍ନ ବର୍ଣ୍ଣ ପୋଛି ଜହ୍ନରେ କରିବା
ଆନନ୍ଦରେ ଘର ସଂସାର ।
ଟିକି ଟିକି କୋଟି ତାରା ଫୁଲ ନେଇ
ଘରକୁ ଆମ ସଜାଇବା,
ଜହ୍ନ ଆଲୁଅର ଶୀତଳ ପରଶେ
ସ୍ବପ୍ନ ରାଇଜେ ହଜିଯିବା।
ନ ଥିବ କିଛି ପ୍ରତିବନ୍ଧକ ତହିଁ
ପକ୍ଷୀ ରାଜ ଚଢି ବୁଲିବା,
ଦୁଃଖ ଅବଶୋଷ କ୍ଳାନ୍ତି ସବୁ ଭୁଲି
ପ୍ରେମ ସାଗରରେ ବୁଡିବା।
ଫେରିବାନି ଆଉ ମର ଜଗତକୁ
ରହିଥିବା କାଳ କାଳକୁ,
ସରଗ ସୁଖକୁ ଭୋଗ ତ କରିବା
ସର୍ବେ ଚାହିଁଥିବେ ଆମକୁ।
ତୁମେ ଚୁପି ଚୁପି କଥା କହୁଥିବ
ମୁଁ ହସୁଥିବି ଥିରି ଥିରି,
ମୁଁ କହିଲେ ତୁମେ ଶୁଣୁଥିବ ସିନା
ବସି ଯିବ ମନକୁ ମାରି ।
କେତେ କଥା କହି ମନାଏ ତୁମକୁ
ବୁଝି ଯାଏ ତୁମ ଇଶାରା,
ପ୍ରେମ ମିଳନର ଗୀତ ଗାଇ ଯିବା
ଜହ୍ନ ରହିବ ସାକ୍ଷୀ ପରା ।