"ଶରତ ଆସିଛି ସରାଗ ନେଇ"
"ଶରତ ଆସିଛି ସରାଗ ନେଇ"
ବରଷକେ ପରେ ମରତେ ପୁଣି
ଶରତ ଆସିଛି ସରାଗ ନେଇ,
ଶସ୍ୟ ଶ୍ୟାମଳା ଫସଲ କ୍ଷେତ
ହସେ ଖିଲି ଖିଲି ନଭକୁ ଚାହିଁ ।।
ଜୀବନ୍ତ ଲାଗୁଛି ପ୍ରକୃତି ରାଣୀ
ସୂରୁଜ ବୁଣୁଛି ସୁନେଲୀ ଖରା,
ଲଜ୍ୟାବତୀ ପରି ଓଢ଼ଣା ଟାଣେ
ସବୁଜ ସୁନ୍ଦରୀ ଅନୁଢା ଧରା ।।
ଆକାଶେ ନାହିଁ ଖଣ୍ଡ ଖଣ୍ଡ ମେଘ
ଶୁଭୁ ନାହିଁ ଆଉ ସେ ବଜ୍ରନାଦ,
ସ୍ବଚ୍ଛ ନିର୍ମଳ ପୁଷ୍କରିଣୀ ଜଳେ
ଫୁଟି ହସୁଛି କମଳ କୁମୁଦ ।।
ନାନା ଜାତିର ଫୁଲ ଫୁଟି ବାସେ
ବିଲ ବଣ ନଦୀ ପୋଖରୀ କୂଳେ,
କେତେ ପ୍ରଜାପତି ଆଉ ଭଅଁର
ଗୀତ ଗାଇ ବୁଲେ ତୋଟାମାଳେ ।।
ମୃଦୁ ସମୀରେ ଝୁମି ଝୁମି ନାଚେ
କାଶତଣ୍ଡି ଫୁଲ ନଦୀ ପଠାରେ,
କି ମନୋଲଭା ରୂପ ଦିଶେ ତାର
ଶୁଭ୍ର ଶୀତଳ ଜହ୍ନ ଆଲୁଅରେ ।।
ଶେଫାଳୀ ଫୁଟି ମହକାଏ ରାତି
ସକାଳକୁ ଯାଏ ଗଛରୁ ଝରି,
ମାଆ ଆଗମନେ ଆନନ୍ଦ ହୋଇ
ଶୋଭା ସୁଷମାରେ ଦେଉଛି ଭରି ।।
ଶରତ ଆସିଛି ପାର୍ବଣ ନେଇ
ରାସ୍ତାଘାଟ ଦିଶେ ସଫା ସୁତୁରା,
କୁହୁଡି ଘେରା ପଣତ ଭିତରେ
ମା ଦୁର୍ଗାଙ୍କୁ ସ୍ବାଗତ କରେ ଧରା ।।
ଗାଁ ଠୁ ସହର ଖୁସିର ଲହରୀ
ଶଙ୍ଖ ଘଣ୍ଟା ଶବ୍ଦେ କମ୍ପୁଛି ମହୀ,
ଘରେଘରେ ଧୂପ ଦୀପ ଜଳାଇ
ମଙ୍ଗଳ ଆଳତି ଦିଅନ୍ତି ଗାଇ ।।
ଦୁର୍ଗତି ନାଶିନୀ ମା ଆସିଛନ୍ତି
ସମସ୍ତଙ୍କ ଦୁଃଖକୁ ନେବେ ହାରୀ,
ପୂରଣ ହୋଇବ ମନସ୍କାମନା
ଭକ୍ତ ଭକ୍ତିରେ ଜଣାନ୍ତି ଗୁହାରୀ ।।
