ମୋ ପ୍ରିୟ ଦେଶ
ମୋ ପ୍ରିୟ ଦେଶ
ଭାରତ ମୋହର ଜନମଭୂମି ଯେ
କର୍ମଭୂମି ସେତ ମୋର,
ମାଆ ସିନା ଦେଲା ଜନମ ମୋତେରେ
ମାଟି ମା' ନେଲା ମୋ ଭାର।
ତା'ର ତରୁଲତା ମୋ ପାଇଁ ଦେବତା
ପୂତ ତା ତଟିନୀ ଝର,
ବନ ଗିରି ଯା'ର ଶୋଭାର ଭଣ୍ଡାର
ପ୍ରକୃତିର ଉପହାର।
ଷଡ଼ ଋତୁ ବାର ମାସର ସମ୍ଭାର
ଅନନ୍ୟ ଚିର ସୁନ୍ଦର,
ପକ୍ଷୀର କାକଳି ଗାଈ ହମା ରଡ଼ି
ଶୁଣିବନିରେ ଅନ୍ୟତ୍ର।
ମହୋଦଧି ଯା'ର ଧୁଏରେ ପୟର
ହିମଗିରି ଶୋଭେ ଶିର,
ମଳୟ ପବନ ଛୁଇଁ ଯା' କାନନ
ବହେ ମୃଦୁ ମନ୍ଦ ଧୀର।
କଙ୍କର କଙ୍କର ଶଙ୍କର ଯାହାର
ଶାଳଗ୍ରାମ ଯା' ପଥର,
ଜାହ୍ନବୀର ଧାର ପୂତ ଓ ପବିତ୍ର
ପୂଜିତ ତେଣୁ ସର୍ବତ୍ର।
ଅମୃତ ସନ୍ତାନ ଅଟେ ମୁହିଁ ତା'ର
ସେ ମୋର ଦିବ୍ୟ ଜନନୀ,
ଜନ୍ମେ ଜନ୍ମେ ମିଳୁ ତା ମଧୁର କୋଳ
ବିଭୁ ପଦେ ଏ ଦୟିନି।