ମୋ ଜନମ ଭୂଇଁ ମାତା
ମୋ ଜନମ ଭୂଇଁ ମାତା
ଯୁଆଡ଼େ ଯାଉ ଯେଉଁଠି ଥାଉ
ମନେ ପଡ଼େ ଯା'ର କଥା,
ହୃଦ ମନ୍ଦିରେ ଯା' ପ୍ରତିଛବି
ଗାଅଇ ଅତୀତ ଗାଥା;
ସେ ମୋ ଜନମ ଭୂଇଁ ମାତା,
ତା ପାଦେ ନଇଁଯାଏ ମଥା।
ଯାହାର କ୍ଷେତ, ବଣ, ପର୍ବତ
କାଶତଣ୍ଡୀ ନଦୀପଠା,
ଛପର ଘର ମଠ ମନ୍ଦିର
ଛୁଟିଆସେ ହରିକଥା;
ସେ ମୋ ଜନମ ଭୂଇଁ ମାତା,
ତା ପାଦେ ନଇଁଯାଏ ମଥା।
ବର ଓହଳ ତାଳ ତମାଳ
ପଣସ ଓ ଆମ୍ବ ତୋଟା,
ପୋଖରୀ ଜଳ କଇଁ, କମଳ
ତୋରା ଯା'ର ବର୍ଣ୍ଣ ଛିଟା;
ସେ ମୋ ଜନମ ଭୂଇଁ ମାତା,
ତା ପାଦେ ନଇଁଯାଏ ମଥା ।
ଭୁଲିବି ନାହିଁଁ ଯା କୋଳ ମୁହିଁ
ସେ ଯେ ଦୀପ ମୁଁ ସଳିତା,
ଜଳିଛି ଯହିଁ ଏନ୍ତୁଡି ନିଆଁ
ଜଳିବ ପୁଣି ମୋ ଚିତା;
ସେ ମୋ ଜନମ ଭୂଇଁ ମାତା,
ତା ପାଦେ ନଇଁଯାଏ ମଥା।