STORYMIRROR

Dr Santosh Kumar Panda

Fantasy

4  

Dr Santosh Kumar Panda

Fantasy

ଏକ ପତ୍ନୀ ବ୍ରତ

ଏକ ପତ୍ନୀ ବ୍ରତ

1 min
17


ଏକ ପତ୍ନୀ ବ୍ରତ ପାଳୁଅଛି ମୁହିଁ

   ଯେ ଦିନୁ ହୋଇଛି ବାହା,

ପରୀ, ପିନୁ ଆଦି ସାଙ୍ଗ ମୋ ଅଛନ୍ତି

   ପତ୍ନୀ କିନ୍ତୁ ଏକା ପ୍ରିୟା।

   ପିଲା ମୁଁ ଯେ ରସିକିଆ

   ନାଆଁଟା ମୋର ସତିଆ।

ମନ୍ଦିର ଯାଏରେ ପତ୍ନୀ ସାଥେ ମିଶି

  ରାନୁ ସହ ଯାଏ ବାର,

ବାରୁଣୀ ବୁଡ଼ ମୁଁ ପ୍ରିୟା ସହ ଦିଏ

   ମାନୁ ସାଥେ ଦୀଘା ପାର।

ମାଣବସା ଦିନ ପ୍ରିୟା ହାତରନ୍ଧା

   ସୁଆଦ ଭାରି ବଢ଼ିଆ,

ଜିରୋ ନାଇଟ୍‌ରେ ହୋଟେଲ ଡିନର

   ବିଅର ସାଥେ ସୋନିଆ।

ଅବିର ଖେଳଇ ପତ୍ନୀ ସାଥେ ମୁହିଁ

   ପଡୋଶିନୀ ସହ ରଙ୍ଗ,

ଶାଢ଼ୀରେ ସୁନ୍ଦର ପ୍ରିୟା ଲାଗେ ସିନା

   ସର୍ଟରେ ସୁନ୍ଦର ସାଙ୍ଗ।

ସାବିତ୍ରୀ ବ୍ରତରେ ଘର ଅଗଣାରୁ

   ଯାଏ ନାହିଁରେ ବାହାର,

ଭାଲେଣ୍ଟାଇନରେ ରୁବି, ମିଲି ସହ

  ଥାଇଲାଣ୍ଡ ଗସ୍ତ ମୋର।

ପ୍ରୋଜେକ୍ଟ କାମରେ ବ୍ୟସ୍ତ କହି ମୁହିଁ

  ଚାଟିଙ୍ଗ ତ କରୁଥାଏ,

ଇନଷ୍ଟା, ମେସେଞ୍ଜରରେ ସମୟ ମୋ ବିତେ

   ରାତି ପୁଣି ପାହିଯାଏ।

ସନ୍ଧ୍ୟାରେ ଫେରିଲେ ଅଫିସ କାମରୁ

  ଗୃହରେ ପତ୍ନୀ ପୁରାଣ,

ତୁମ ବିନା ପ୍ରିୟା ବଞ୍ଚିପାରିବିନି

   ପକଉଛି ତୁମ ରାଣ।

ଚେରି ଭଳି ଓଠ ସୁନ୍ଦର ଲାଗଇ

   କାଜୁ ପରି ତୁମ ମୁହଁ,

ସେଓ ଭଳି ଗାଲ ଡଉଲ ଡାଉଲ

   ଦ୍ରାକ୍ଷା ଯେ ଦର୍ଶନେନ୍ଦ୍ରିୟ।

ଅଣ୍ଟାହଲା ଚାଲି ତନୁ ପାତିଳୀ ଗୋ

   ହସରୁ ମଧୁ ଝରଇ,

ଚାହାଣୀରେ ହାଣି ଦିଅ ହୃଦୟକୁ

   ବାଣୀରେ ବଶ କରଇ।

ମାଆ ଯେ ତୁମର ଶାନ୍ତିର କପୋତ

   ଭଉଣୀ ତ କଳାବତୀ,

ବାପା ବି ବିରାଟ ରଜା ତ ଅଟନ୍ତି

   ଭାଇ ବାହୁବଳୀ ଅତି।

ଏକ ପତ୍ନୀ ବ୍ରତ ସାରା ଜୀବନ ମୁଁ

   ପାଳିବି କରିଛି ପଣ,

ବିବାହିତ ମୁହିଁ ପ୍ରମାଣପତ୍ରଟା

   ରଖିଅଛି କରି ଟାଣ।

ହୃଦୟ ମୋହର ଛୋଟ ନୁହେଁ ଏତେ

   ସାଗର ପରି ଗଭୀର,

ପତ୍ନୀ ସାଥେ ରିୟା, ରିମା ଆଦି ଝିଅ

  କରିପାରିବେରେ ଘର।

ପ୍ରିୟା ସାଥେ ସିନା ସଂସାର କରିଛି

   ସଂସାର ମୋହର ଘର,

ସାରା ବସୁଧା ଯେ ମୋହରି କୁଟୁମ୍ବ

   କେହି ତ ନୁହଁନ୍ତି ପର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy