ମାଟି ମାଆ
ମାଟି ମାଆ
ମାଟିର ମଣିଷ ମାଟିରେ ମିଶିବ
ଜାଣିଛି ଏ କଥା ଭଲେ,
ମାଆର ପରଶ ଛାଡ଼ି ସେ ଯେ ପୁଣି
ଶୋଇବ ମାଟିର କୋଳେ।
ସେଥିପାଇଁ ସିନା ମାଆ ମାଟିକୁ କେ
ପାଏରେ ସବୁଠୁ ଭଲ ,
ସୁଝି ହେବ ନାହିଁ ମାଆ ମାଟି ଋଣ
ଅମୂଲ ତାହାର ମୂଲ।
ଏନ୍ତୁଡ଼ିଶାଳର ନିଆଁ ଠାରୁ ପୁଣି
ଜୁଇକାଠର ସେ ନିଆଁ,
ଏଇ ଦୁଇ ନିଆଁ ଉଷ୍ମତା ଭିତରେ
ଶୀତଳ ମାଟିର ଛାୟା।
ଅଳିଆକୁ ନେଇ ଖତ କରେ ସେହି
ବଢନ୍ତି ପାଦପ ଲତା,
ସୁଗନ୍ଧ କୁସୁମ ସୁମଧୁର ଫଳ
ଆହା ସତେ କେଡ଼େ ମିଠା।
ବକ୍ଷ ତାର ଚିରି ଜଳଧାର ବହେ
ଅମୃତ ଦୁଗଧ ସମ,
ମୃଦୁ ମନ୍ଦ ବାଆ ବହଇ ସଧୀରେ
କାୟା ପୀଡା ଉପଶମ।
ଅଳି ଅରଦଳି ସହୁଛି ସବୁ ସେ
ବହେ ସଭିଙ୍କର ଭାରା,
ପଞ୍ଚ ତତ୍ତ୍ଵ ମଧ୍ୟେ ସାର ଅଟେ ମାଟି
ଅଟେ ସନ୍ତାନ ବତ୍ସଳା।