ମୋ ନିର୍ଜନ ସହର
ମୋ ନିର୍ଜନ ସହର
ଭାରି ଓଜନିଆ ଲାଗେ
ଆକୋଠରୀ ବିସ୍ତାରି ସେ ଗାଢ଼ ଅନ୍ଧାର
ଝରକା ପାଖରୁ ଦେଖେ,
କେମିତି ସାରା ସହରଟା ମୁହୂର୍ତ୍ତକରେ
ମୂର୍ଚ୍ଛିତ ହୋଇ ଜଡ଼ ପାଲଟିଯାଏ
ରାସ୍ତାଘାଟ,ସହର-ବଜାର,ଦୋକାନ ପତ୍ର
ସବୁକିଛି ଶୁନ୍-ଶାନ୍,ସର୍ବତ୍ର ନିର୍ଜନତା ହିଁ ନିର୍ଜନତା ।
ଝରକା ଏପାଖେ ମୁଁ ଏବଂ ମୋ ନୀରବତା
ଆଉ ଝରକା ସେପାଖର
ଅନତି ଦୂରରେ ଦଣ୍ଡାୟମାନ
ବୃଦ୍ଧ ଶାଳ ବୃକ୍ଷ ଏବଂ ତା'ର ନିଃସଙ୍ଗତା
ବେସ୍ ! ସ୍ଥିର,ସ୍ଥାଣୁ ,ନିଶ୍ଚଳ,ନିଷ୍କ୍ରିୟ
ମୁଁ ମୋ ଭିତରେ ଆଉ
ସେ ତା' ଭିତରେ ।
ଏୟା ଭିତରେ ଶୂନ୍ୟତାକୁ ପୂର୍ଣ୍ଣ କରିଲା ପରି
ହୃଦୟର ରିକ୍ତ କୋଣକୁ ଅନେକ କିଛି
ଆଦ୍ର ସ୍ମୃତି,
ବଳବତ୍ତର ଭାବରେ ଧସେଇ ପଶିଆସେ
ପ୍ରାପ୍ତି-ଅପ୍ରାପ୍ତିର ସୁକ୍ଷ୍ମାତିତ ଦୀ
ର୍ଘନିଶ୍ୱାସ ମଧ୍ୟରେ
ଚାହୁଁ ଚାହୁଁ ଚକ୍ଷୁ ଯୁଗଳ ମୁଦି ହୋଇଯାଏ ।
ମୁଦ୍ରିତ୍ର ଚକ୍ଷୁ ଯୁଗଳ ସମ୍ମୁଖରେ ନିମିଷେ ଭାସିଉଠେ
ମୋ ଗାଁ, ଆମ ଧାନ ବିଲ, ବିଲେ ସୁବର୍ଣ୍ଣ ଫସଲ
ଗାଁ ମନ୍ଦିର ମଠ,ପୋଖରୀ ତୋଠ,
ସୁଦୀର୍ଘ ନଈ,ବନ,ଗିରି,ପାହାଡ଼,
ବରଗଛେ ଚଢେଇର ନୀଡ଼,
ଗାଁ ଦାଣ୍ଡରେ ମୋ ପିଲାଦିନ,
ସହରରେ ମୋ ହଜିଲା ଯୌବନ,
ଅନାବିଳ ମୋ ବୋଉର ସ୍ନେହ, ବାପାର ଗାଳି
ଚନ୍ଦନ ପରି ଗାଁ ମାଟି ଧୂଳି,
କ୍ରମାଗତ ଧାଡ଼ି ବାନ୍ଧି ଗୋଟିକ ପଛରେ ଗୋଟେ
ଅତିଥି ରୂପେ ଆତଯାତ ହୁଅନ୍ତି ।
ସ୍ଥାୟୀ ଲୋତକ ଭିତରେ
ଅସ୍ଥାୟୀ ଅତିଥିମାନେ
ଆଦ୍ରତାର ପରିସୀମାରେ ବତୁରି ଯା'ନ୍ତି
ପୁନଶ୍ଚ !
ଅନ୍ଧାରର ନିଃଶବ୍ଦ ମଧ୍ୟରେ
ହୃଦୟର ଅଶରୀରି କୋଳାହଳ ମୌନୀ ଯା'ନ୍ତି ।।