ନର୍କ
ନର୍କ
ଗୋଟେ ଆଇସକ୍ରିମ
ଚାହିଁଥିଲି
ଦେଇ ଦେଲ ଫୁଜିୟମା ହାତେ
ଟିକେ ଉଷୁମପଣ ଲୋଡିଲି
ନେଇଗଲ ଏସ୍କିମୋ ଘେରକୁ
ବର୍ଷା ଭଲ ଲାଗେ କହିଲି
ସାହାରା ମରୁଭୂମି ରେ ଏକା ନିଜକୁ ପାଇଲି
ପ୍ରଜାପତିଟେ ଦିଅନ୍ତ ନି
ଖୁସି ହୁଅନ୍ତି
ସାଆଁବାଳୁଆ ଲୋମେ ସିଆଁ ମୋ ଦେହ।
ମାଟିରେ ଥାପିଲି ମୂର୍ତ୍ତୀଟେ
ସେ ଭଷ୍ମାସୁର ହେଲା
ଆଖିରେ ନୀଳ ରଙ୍ଗ ଦେଲି
ସେଥିରୁ ରକ୍ତ ଝରିଲା
ଏବେ ଅଧା ଗଢ଼ା ସବୁ ମୂର୍ତ୍ତି
ଛାଞ୍ଚ ହଜିଗଲା ସମୁଦ୍ରରେ
ନିହାଣ ରୁଷି ଗଲେ
ମୁଁ ଭଗ୍ନ କୋଣାର୍କ।
ଭୋକ ତୁମ ଚାଲୁଥିଲା
ଅନ୍ଧାର ପୁଚୁ ତରଳା ରାସ୍ତା ରେ
ମୋ ଇପ୍ସା ମାନେ ଧାଉଁଥିଲେ
ତୁମ ଭୋକ ତଳେ ଦଳା ଚକଟା
ଦରମରା
କ୍ଷତ ବିକ୍ଷତ ହରିଣୀ।
ମୁଁ ଦୀର୍ଘଶ୍ଵାସ ଛାଡି
ପଚାରୁ ଥିଲି
ହେ ଈଶ୍ବର !
ଏଇ କଣ
ନର୍କ !!
