ଲୁହ
ଲୁହ
ମୁଁ ମାପିପାରିଛି ତୁମର ଗଭୀରତାକୁ।
ପଢିପାରିଛି ତୁମ ପ୍ରକୃତ ସଂଜ୍ଞା କୁ।
ତୁମେ ତ ଆସ କେବେ ଆନନ୍ଦରେ ତ
ପୁଣି କେବେ ବିଷାଦରେ।
କେବେ ଅମାନିଆ ନିର୍ଝରଣୀ ପରି ତ
କେବେ ଲୁଚି ଯାଅ
ମାଟିତଳ ଫଲ୍ଗୁ ପରି
ନୟନର ପଥଦେଇ
ହୃଦୟର ଭୂତଳେ।
କେବେ ଚାନ୍ଦ ଧରିବାକୁ
ଶିଶୁର ଅଝଟ ପଣରେ ତ
କେବେ ନିର୍ଯାତିତା ନଵଵଧୁର
ଅସହ୍ୟ କୋହରେ।
କେବେ ଦେଖା ଦିଅ ସୃଷ୍ଟିର
ସଫଳତାରେ ତ କେବେ
ସ୍ରଷ୍ଟା ର ବିଫଳତାରେ।
କେବେ ତୁମେ ପାଇବାର
ଅସୀମ ଆନନ୍ଦରେ ତ
କେବେ ଝରିପଡ ହରାଇବାର
ଗଭୀର ଦୁଃଖରେ।
କେବେ ବନ୍ଧନ ମୁକ୍ତ ଆଖିରେ ତ
କେବେ କୋହର ଶିକୁଳିରେ।
ମୁଁ ତୁମକୁ ଦେଖିଛି
ଅଭିଶପ୍ତା ଝରା ଶେଫାଳୀର
ବେଦନା ସିକ୍ତ ପାଖୁଡ଼ାରେ।
ସୀତାଙ୍କ କୋହ ଓ
ଦ୍ରୌପଦୀଙ୍କ ପ୍ରତିଜ୍ଞା ମଧ୍ୟରେ।
ଲୁପ୍ତ ରୂପ ଦେଖିଛି ମୁଁ
ଵୀରାଙ୍ଗନା ଲକ୍ଷ୍ମୀଵାଇ ,
ଦୁର୍ଗା ବତୀର ହୃଦୟରେ।
ତୁମକୁ ଦେଖିଛି ଆଖି ସାମ୍ନାରୁ
ଅନାହାର ଶିଶୁର ଆଖିରେ ।
ଦାଦନ ଫେରନ୍ତା ଶ୍ରମିକ ଓ
ସର୍ବସ୍ବ ହରାଇଥିବା ଦୁଃଖିନୀର
ଶୁଖିଲା ମୁହଁରେ।
ଲୁହ,ତୁମେ ତ ଜନ୍ମନେଇଛ
ଵହିଯିଵା ପାଇଁ
ହେଲେ କେବେ ଧୋଇ ଦେଇ
ପାରିଛ କି କାହାମନୁ ଗ୍ଲାନି ?