STORYMIRROR

Tapaswini DashSarangi

Abstract Tragedy Others

3  

Tapaswini DashSarangi

Abstract Tragedy Others

ଦୁହିତା

ଦୁହିତା

1 min
168

ଦୁଇଟି କୂଳ ହିତ ପାଞ୍ଚିବାକୁ

ବିଧାତା ଦେଇଛି ଗଢି ଲୋ ତୋତେ

ଜନମ ଠାରୁ ଜୁଇ ଯାଏଁ ତୁହି

ଲଢିବାକୁ ହେବ ଯାତନା ସାଥେ।


ଯେତେବେଳେ ତୁହି ଜନମ ହେଲୁ 

ବାପା ମାଆ ତୋତେ ଲକ୍ଷ୍ମୀ ଭାବିଲେ

ଦୁନିଆର ଯେତେ ସୁଖ ଦରବ

ତୋର ପାଦ ତଳେ ଆଣି ଢାଳିଲେ।

 

କେତେ ନିରିମାଖି ହୋଇ ତୁ ବଢିଲୁ

କୁଟାକୁ ଦିଖଣ୍ଡ କରିନୁ କେବେ

ଗେହ୍ଲାରେ ତୋ ଦିନ ବିତୁଥିଲା ଲୋ

ଆଦର କରନ୍ତି ଘରର ସର୍ବେ।


ବୋହୂବୋହୂକା ଖେଳୁଥିଲୁ କେତେ

ବୋହୂର ଅରଥ ଜାଣି ନ'ପାରି

ନବ ବଧୂ ତୁ ସଜେଇ ହୋଇ ଲୋ

ରୋଷ ଶାଳେ ଥିଲା ମାଟି ପଥୁରୀ।


ବାଳୁତ ବେଳ ସବୁ ଖୁସି ତୋର

ଉଭାନ ହୋଇଲା ସମୟ ତାଳେ

ଯୌବନ ଆସି ଉପନୀତ ହେଲା

ତାତ ମାତ ବୁଡ଼ନ୍ତି ଚିନ୍ତା ଜଳେ ।


ସମାଜର କେତେ ଶକ୍ତ ରଜ୍ଜୁରେ

ବାନ୍ଧି ହୋଇଗଲା ତୋର ହରଷ

ଜେଜି କହୁଥିଲା ନିତି ଗରଜି

ଆନ ସୁଖେ କାଳେ ମିଳେ ସନ୍ତୋଷ।


ବାହାଘର ଦିନ ଆସିଗଲା ଲୋ

କୁଆଁରୀରୁ ବନିଗଲୁ କାମିନୀ

ଟୋପାଏ ସିନ୍ଦୁର କରିଲା ପର

ହୋଇଗଲୁ ତୁ ଲୋ ସହଧର୍ମିଣୀ।


ସିନ୍ଦୁର ଶଙ୍ଖା ସାଥୀ କରି ତୁହି

ଗଢ଼ି ଗଲୁ କେତେ ନୂଆ ସମ୍ପର୍କ

ଭୂଲି ନଥିଲୁ ତୋହର ସଂସ୍କାର

ଯାହା ଦେଇଥିଲେ ମାତା ଜନକ।


ନିଜ ଜୀବନକୁ ସଳିତା ସଜେଇ

ଜାଳିଲୁ ତୋହର ମନ ଇଚ୍ଛାକୁ

ତ୍ୟାଗର ନାମ ଜପୁଥିଲୁ ସିନା

ରୁଧିରେ ଭିଜିଲା ତୋହର ବୁକୁ।


ବାତ୍ସଲ୍ୟମୟୀ ଜନନୀ ସାଜିଲୁ

ନାରୀତ୍ଵ ସାର୍ଥକ ହେଲା ଯେ ତୋର

ବିନୟା ନିର୍ମଳା ତୁ ତ୍ୟାଗବତୀ

ଦୁହିତା ଜନମ ହେଲା ସାକାର।


ଜନକ ନନ୍ଦିନୀ ହୋଇ ତୁ ଜନ୍ମିଲୁ

ଜନନୀ କୋଳେ ତୋ ପିଅର ଘରେ

ସୁହାଗିନୀ ହୋଇ ଶଙ୍ଖା ସିନ୍ଦୁରେ 

କୋକେଇ ଉଠିଲା ସ୍ଵାମୀ କାନ୍ଧରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract