ଅଧୁରା
ଅଧୁରା
ଆଜି ନୁହେଁ କେଉଁ କାଳରୁ
ଗଢି ଚାଲିଛି ମୁଁ ନିଜକୁ ,
ହେଲେ ବି ଅଧା ଅଧୁରା
ହୋଇ ନାହିଁ ପୁରା ।
ନିଜ ହାତର ନିହାଣ ମୂନରେ
ଖୋଦେଇ କରୁଛି ନିଜ ଦେହରେ ,
ଆଙ୍କି ଚାଲିଛି ଛବି
ପକେଇ ଚାଲିଛି ଅଙ୍କା ବଙ୍କା ଗାର ।
ସେହି ନିହାଣ କେବେ ଆଙ୍କିଦିଏ
ନରମ ପାନପତର
ଅନୁଭବ ରେ ପୁରା କରିଦିଏ ଶରୀର
ନିଜକୁ ବି ଖୋଜି ହୁଏନା ।
କେବେ ଅନ୍ୟମନସ୍କତା ରେ
ଟିକିଏ ଖସିଯାଏ ହାତରୁ
ଆଉ ଭରିଦିଏ ବର୍ବରତା
ହଜିଯାଏ ଭିତରର ସ୍ଥିରତା ।
କେବେ ଖୋଦେଇ କରେ
ସ୍ବଚ୍ଛ ମାନବିକତା
ଦୟା , କ୍ଷମା ,ପ୍ରେମ ରେ
ଭରିଯାଏ ଏ ଅନ୍ତର ଟା ।
କେବେ ଆତ୍ମଗର୍ବ ରେ
ଦେଇ ଦିଏ ଏକ ଶକ୍ତ ପ୍ରହାର
ଯାହା ଖଣ୍ଡ ବିଖଣ୍ଡ କରେ
ପ୍ରତି ଟି ଭାବନା , ପ୍ରତି ଟି ସର୍ଜନା ।
ଖୁବ୍ ସହଜ ନୁହେଁ ଏ ଗଢିବା ଟା
ନିଜ କୁ ନିଜର ଆକାର ଦେବା ଟା
ହେଲେ ଏତେ କଷ୍ଟ ବି ନୁହେଁ
ନିଜକୁ ଖୋଜିବା ଟା ।
ସେ ପଥର ହିଁ ପଥର ନୁହେଁ
ଯିଏ ନ ପାଇଛି କାରିଗରୀ ର
ନିହାଣ ଧକ୍କା ,
ସେ ଜୀବନ ବି ଜୀବନ ନୁହେଁ
ଯେଉଁଠି ନ ମିଳିଛି ସଂଘର୍ଷ ପୂର୍ଣ୍ଣ
ସନ୍ଧାନ ମୟ , ଜଞ୍ଜାଳ ମୟ ରାସ୍ତା ।
ଜାଣିନି କେବେ ଗଢିବି ନିଜକୁ
ହୋଇବି ସମ୍ପୂର୍ଣ୍ଣ ,
ଜାଣିନି କେଉଁ ଖୋଦେଇ ଦେବ
ମୋତେ ଏକ ପୂର୍ଣ୍ଣାଙ୍ଗ ରୂପ ।
ଜାଣିନି କେତେ ପୋଖତ
କାରିଗର ମୁଁ
କେବେ ଗଢି ପାରିବି ଏ ଅବୟବକୁ
ଅବା ରହିଯିବି ଅଧୁରା ।