ମାଟି ଓ ବର୍ଷା
ମାଟି ଓ ବର୍ଷା


(ମୋତେ ଖୁବ୍ ଭଲ ଲାଗେ କେବେ ଶୁଖିଲା ଭୂଇଁକୁ ବର୍ଷା ଛିଟା ଛୁଇଁ ଯାଏ , ଆଉ ଛୁଇଁବା ପରର ସେ ବାସ୍ନା ....ସେଇ ବାସ୍ନାର ଭାବନା କିଛି ଶବ୍ଦ ରେ....।)
ଯେବେ ଆଖିରେ ଥାଏ ସ୍ଵପ୍ନ,
ଯେବେ ସ୍ୱପ୍ନରେ ହଜେ ଆଖି ,
କେବେ ବି ସେଇଠି ନିଦ ଖୋଜି ପାଏନି ମନ .....।
ନିଜ ଶୁଷ୍କତାରେ ନିଜେ ମଜି ଯାଇ ,
ଆର୍ଦ୍ରତାକୁ ଅପେକ୍ଷା କରେ
ସେଇ ନିରୀହ ଆଖି ......।
ଆଖିରେ ଥାଏ
ଅପେକ୍ଷାର ଏକ ଲମ୍ବା ରାସ୍ତା ,
ସେ ରାସ୍ତାରେ ଥାଏ ତ୍ୟାଗର ଅପରୂପ ବାସ୍ନା ,
ଯାହାକୁ କେହି ବୁଝିପାରେନା ...,
ସେଇ ଭାବନା ଆଖିକୁ ଶୋଏଇ ଦିଏନା .....।
ଆଷାଢ଼ର ପହିଲି ଛିଟା ଯେବେ ପଡେ ,
ସେଇ ଶୁଷ୍କ ଶରୀରରେ ,
ମହକି ଉଠେ ଭୂରି ଭୂରି ବାସ୍ନା ,
ସେ ବାସ୍ନା ମନକୁ
କରିଦିଏ ମତୁଆଲା ....।
ସେଇ ବାସ୍ନାରେ ଗ୍ୟାସୀୟ ପଦାର୍ଥଟେ ହୋଇ
ଉଡି ଯିବାକୁ ଇଚ୍ଛା ହୁଏ .....।
ଲମ୍ବା ରାସ୍ତାର , ଅମାପ ଅପେକ୍ଷା ପାଇଯାଏ ,
ତାର ପହିଲି ଛୁଆଁ ,
ସେ ଛୁଆଁର ଲାଜୁଆ ମହକ ମିଶିଯାଏ ପବନରେ .......।
ତା ଅପେକ୍ଷାରେ ଚେଇଁ ଥିଲା ଆଖି ,
ଆଜି ତାକୁ ପାଇ ପୁଣି ଚେଇଁଛି ...।
ନିଜ ଭିତର ଫଟା ଫଟା ,
ଆଁ କରି ଉପରକୁ ଚାହିଁଥିବା ସେ ମାଟି ହଜେଇ ଦିଏ ନିଜର ଅବସ୍ଥା ...,
ସମର୍ପଣ ଉଦାହରଣର ଅତର
ଆଉ କାହାକୁ ଶୋଇବାକୁ ଦିଏନା......।
ଅପେକ୍ଷାରତ ଆଖି ଆଉ ଭବିତବ୍ୟକୁ ଭାବେନା ,
ଚେଇଁଥିବା ସମୟର ହିସାବ କରେନା ,
ନିଜର ସ୍ଥିତିକୁ ପାଇବାର ସ୍ୱପ୍ନ ବି ରଖେନା,
ମନରେ ରଖେ ଖାଲି ,ତ୍ୟାଗ ,ସମର୍ପଣର ଭାବନା .....।