ମୋ ଘରଣୀ ଭାରି ସିଆଣି
ମୋ ଘରଣୀ ଭାରି ସିଆଣି
ମୋ ଘରଣୀ ଭାରି ସିଆଣି
ଫୁଙ୍କି ଫୁଙ୍କି ପିଏ ବାସି ତୋରାଣି
କେବେ ମାଛିକୁ କହେନି ମ
କିନ୍ତୁ ମୋ ନାଁ ଧରିଲେ,
ହୁଏ ତମ୍ପ ପରି ଫଅଁ ଫଅଁ ।।
ତା' କାଣ୍ଡ କଳାପ ବିର୍ତ୍ତାପ ଉତ୍ପାତ କଥା କହିଲେ ନ ସରେ
ମୋ ଚାଲିବା ଉଠିବା ବସିବା ସବୁ ନିଷ୍ପତ୍ତି, ନ୍ୟସ୍ତ ତାହାରି କରେ
ସିଏ ପାଖେ ଥିଲେ, ତାଳ ବରଡ଼ା ପରି ମୋ ସର୍ବାଙ୍ଗ ଥରେ
ତା' ସହିତେ ଘର ସଂସାର କରିବାଟା ଯେମିତି,
ନିଇତି ଚଲାଇ ମୁଁ ଖଣ୍ଡର ଧାରେ
ଆଜିକାଲି ମୋ ଦିନରାତି ବିତେ ତା' ନାଁ ସ୍ମରଣୀ
ମୋ ଘରଣୀ ଭାରି ସିଆଣି, ମୋ ଘରଣୀ ଭାରି ସିଆଣି ।।
ଯେତେକ ବାଜେ ଗୁଣ ସବୁ ତା'ଠି ହୋଇଛି ଭର୍ତ୍ତି
ମୋ ପାଇଁ ସେ ସମସ୍ୟା ଦେବୀର ଜୀବନ୍ତ ମୂର୍ତ୍ତି
ତେଣୁ, ତା ସହିତେ ପଙ୍ଗା ନିଏନି, ମୁଁ ଜାଣିଶୁଣି
ମୋ ଘରଣୀ ଭାରି ସିଆଣି, ଫୁଙ୍କି ଫୁଙ୍କି ପିଏ ବାସି ତୋରାଣି ।।
ମୋ ଘରଣୀବି ଅଟନ୍ତି ଭାରି ଶାନ୍ତଶିଷ୍ଟ,
ମନ୍ଥରା ଗୁଣ, ଚଣ୍ଡୀପଣରେ ବେଶ୍ ପରିପୃଷ୍ଟ
ଅବଶ୍ୟ, ମତେ ଛାଡ଼ି ଆଉ କାହାରି କରନ୍ତି ନାହିଁ କିଛି ଅନିଷ୍ଟ
ମୋ ଘରଣୀବି ଅଟନ୍ତି, ଭାରି ଶାନ୍ତଶିଷ୍ଟ,
ତାଙ୍କ ଶାସନାଧିନରେ ପାଇବି ଅଶେଷ କଷ୍ଟ
ସାଙ୍ଗସାଥି ଆଗେ, ଦାମ୍ଭିକପଣେ ମାରେ କେତେ ବାହାସ୍ଫଟ,
କାହିଁକି ନା ,
ମୁଁ ଆଜ୍ଞାକାରୀ ପତ୍ନୀନିଷ୍ଟ , ମୁଁ ଆଜ୍ଞାକାରୀ ପତ୍ନୀନିଷ୍ଟ ।।
ତା' କର୍କଶ ସ୍ୱରେ, ପ୍ରେମ ରାଗିଣୀ
ତା' ମୃଗ ନୟନରେ, ପିଚାସୀ ଚାହାଣି
ତା' ଶ୍ରୀନଳୀ କଣ୍ଠରେ, ବିଷାଦ ବାଣୀ
ଏମନ୍ତ ରୂପ ଢଙ୍ଗ ବାଗ ଦେଖି ମୋ ପିଳେହି ପାଣି
ଭାବେ !! କେଉଁ ଦୋଷ ଦଣ୍ଡ ପାଇଁ,
ବିଧାତା ଛନ୍ଦିଛି ମୋତେ ତା' ସହିତେ ଜାଣିଜାଣି
ମୋ ଘରଣୀ ଭାରି ସିଆଣି, ମୋ ଘରଣୀ ଭାରି ସିଆଣି ।।
ପିଲାଦିନେ ଦେଖିଥିଲି ଉଦଣ୍ଡୀ ସୀତା, ଓଡ଼ିଆ ଚଳଚିତିରେ
ଏବେ ନିଇତି, ତା' ଉପସ୍ଥିତି, ମୋ କୁଡ଼ିଆ ଛପର ଘରେ
କି କଥା କହିବି ଆଉ
ସହି ହେଉନାହିଁ, ପତ୍ନୀଙ୍କର ଦାଉ;
ମୋହରି ଘରେ,
ସେ ଅଫିସର, ମୁଁ ଛାର କିରାଣୀ
ସେ ଦାମି ଡଲାର୍, ମୁଁ ଅଚଳ ଚାରେଣୀ
ସେ ରଢ଼ ନିଆଁ, ମୁଁ ନଡ଼ାକୁଟା ଜାଳେଣି;
ଭାଇ !
ଆଉ କଣ କହିବି ମୋ ଦୁଃଖ କାହାଣୀ
ମୁଁ ବଶୀଭୂତ ସିଂହ, ସେ ଦେବୀ ଦୂର୍ଗା ସ୍ୱରୂପେଣୀ
ମୁଁ ଉର୍ଦ୍ଧଶ୍ଵାସୀ କେଳା, ସେ ଚୋଟ ଖିଆ ନାଗୁଣୀ
ମୁଁ ଦରମଲା ଶିକାରୀ, ସେ ଘାଇଲା ବାଘୁଣୀ
ମୁଁ କୁଜି ଅସରପା, ସେ ବିରାଡ଼ି କାଣି;
ଏହା ହିଁ ଆମ ବିରୋଧାଭାସ ଜୀବନରେ,ପ୍ରତ୍ୟକ୍ଷ ଦାମ୍ପତ୍ୟ କାହାଣୀ
ମୋ ଘରଣୀ ଭାରି ସିଆଣି, ଫୁଙ୍କି ଫୁଙ୍କି ପିଏ ବାସି ତୋରାଣି
ମୋ ଘରଣୀ ଭାରି ସିଆଣି ।୩।