ମନ୍ଥନ
ମନ୍ଥନ
ମୋ ଭିତରେ ଥିବା
ହେ ରାକ୍ଷସଗଣ !
ତୁମକୁ ମୁଁ ଭଲପାଏ
ତୁମେମାନେ ତ ମୋତେ
ମୁଁ ବୋଲି ପରିଚୟ ଦେଇଛ ।
ମୋ ଭିତରେ ଥିବା
ହେ ଦେବଗଣ !
ତୁମକୁ ବି ଭକ୍ତି କରେ
ତୁମ୍ଭ ପାଇଁ ତ ଆଜିଯାଏଁ
ମଣିଷ ହୋଇ ତିଷ୍ଠି ରହିଛି ।
ଦେଖ , ଦୁହେଁଙ୍କୁ ଭଲପାଏ
ଆଉ ଭକ୍ତି କରେ
ଆସ ଦୁହେଁ ଏକତ୍ରିତ ହୋଇ
ମନ ଗହିରରେ ଥିବା
କ୍ଷୀର ସାଗରକୁ ମନ୍ଥିଦିଅ ।
ଅହଂକାରର ମନ୍ଦର ପର୍ବତ ମୋର
ଖୁଆଦଣ୍
ଡ ହେବ ,
ତୃଷ୍ଣାର ବାସୁକିକୁ ଦଉଡ଼ି କରିବ
ଚେତନାର କଛପ ପିଠିରେ
ମନ୍ଦରକୁ ବସାଇ
ମନ୍ଥିଦିଅ ମୋତେ ।
ଯଦି ହଳାହଳ ବାହାରେ
ତେବେ ପିଇନେବେ
ହୃଦୟ କୈଳାସପତୀ
ହସିହସି ନିର୍ଦ୍ବନ୍ଦ୍ବରେ ।
ଅମୃତ , ଧନଲକ୍ଷ୍ମୀ , କାମଧେନୁ
ପାରିଜାତ କି ଅପପ୍ସରାମାନ
ସବୁ ବାଣ୍ଟିନିଅ
ନିଜ ନିଜ ଭିତରେ ।
ଆସ ଦୁହେଁ ମିଶି
ମନ୍ଥିଦିଅ ମୋତେ ,
ଖାଲି କରିଦିଅ
ଅନ୍ତରରେ ଲୁଚିରହିଥିବା
ସବୁ ଦରବକୁ ।