ମନର ମଣିଷ
ମନର ମଣିଷ
ମନ ଯାହାଠାରେ ଲାଗିରହେ ଥରେ
ମନର ମଣିଷ ସେହି
ଅନ୍ତରକୁ ଖୋଲି ଆପଣାର କଥା
ନଲୁଚାଇ ହୁଏ କହି ॥
ପରସ୍ପର ପ୍ରତି ପ୍ରିୟ ସମ୍ଭାଷଣ
କରି ପରାଣ ରଞ୍ଜନ
ହରି ନେଇପାରେ ମନର ମଣିଷ
ସହଜେ ଅପର ମନ ॥
ମନର ମଣିଷ ପାଶେ ଥିଲେ କ୍ଷଣେ
ଦୂର ହୁଏ ସବୁ ଭୟ
ଯାହାର ନିକଟେ ହୋଇ ଯାଇଥାଏ
ନିର୍ମଳ ମନ ହୃଦୟ ॥
ଅନ୍ତରର ସବୁ ଭାବ ଗୋଟି ଗୋଟି
ଫିଟାଇ ହୁଅଇ କହି
ଅତି ଆପଣାର ପରି ଲାଗେ ଯିଏ
ମନର ମଣିଷ ସେହି ॥
ନଲୋଡଇ ଧନ ନଲୋଡଇ ଯଶ
କେବଳ କିଣଇ ମନ
ମାନବ ସମାଜେ ଏପରି ସହଜେ
ମିଳିବେ ଯେ କେତେ ଜଣ ??
ନିର୍ବିକାର ଭାବେ ଯିଏ ଅନୁଭବେ
ଅପର କୁ ପ୍ରାଣ ସଖା
ପକ୍ଷପାତହୀନ ପରସ୍ପରମନ
ସ୍ନେହ ,ସହନଶୀଳତା ॥
ଥିଲେ ରହିବେନି ମଣିଷକୁ ମଣି
ମନର ମଣିଷ ବୋଲି
ଏକ ଆରେକର ପ୍ରିୟ ସହଚର
ଭାବେ ଯେ ଉଭୟେ ଚଳି ॥
ଥାଆନ୍ତି ଜଗତେ ପରସ୍ପର ହିତେ
ଉଭୟଙ୍କ ମନ ପ୍ରାଣ
କରି ସମର୍ପଣ ନିଃସ୍ବାର୍ଥ ଉଦ୍ୟମ
ସାଧନେ ଉଭୟ ମନ ॥