ମଣିଷତ୍ୱ ନହରାଅ, ସମ୍ମାନ ଲଭିବ
ମଣିଷତ୍ୱ ନହରାଅ, ସମ୍ମାନ ଲଭିବ
ଅନାବିଳ ସ୍ନେହ ପ୍ରେମେ, ସଂପର୍କ
ରହେ ହୃଦୟରେ
ତାହା ରୁହେ ଚିରସ୍ଥାୟୀ, ପ୍ରାଣରେ
ସଂଜୀବନୀ ପରି କାମ କରେ ।
ନିଃସ୍ୱାର୍ଥ ସଂପର୍କେ ମହାନତା ଆଣେ
ନାରୀ ପୁରୁଷ ମଧ୍ୟରେ
ସ୍ବାର୍ଥ ଆସି ଗଲେ ସଂପର୍କ ରଜ୍ଜୁ ଛିଡି
ଜୀଇଁବା ନରକ ପୁରୀ ହୁଏ ।
ପ୍ରକୃତିରେ ନାରୀ ହୋଇଛି ସ୍ରଷ୍ଟାଙ୍କର
ସର୍ବୋତ୍ତମ ସୃଷ୍ଟି ପରା
ସେ ଅଟଇ ତ ପ୍ରେମ ତ୍ୟାଗ ତୃପ୍ତିର
ଏକ ତରଙ୍ଗିଣୀ ଧାରା ।
ଜନନୀ, ଭଗିନୀ, କନ୍ୟା, ଜାୟା ରୁପେ
ନାରୀ ସମାଜେ ସ୍ଥାନ ପାଇଥାଇ
ପୁରୁଷ ଓ ନାରୀ ବିନା ସୃଷ୍ଟିର କଳ୍ପନା
କେବେ ହୋଇନି, ହୋଇବ ନାହିଁ ।
ମାତା ରୂପେ ପ୍ରତ୍ୟେକ ନାରୀ ଛାତିରୁ
ଖିର ଦେଇ ଶିଶୁର ଅନ୍ନଦାତ୍ରୀ
ଭଉଣୀ ରୂପରେ ସେହି ନାରୀ ପୁରୁଷର
ସଦା ସ୍ନେହ ସୁଖ କାମନାରେ ବ୍ରତୀ ।
ଆମ ଉତ୍କଳ ପ୍ରଦେଶରେ ଶ୍ରୀ ଜଗନ୍ନାଥ
ହେଉଛନ୍ତି ଆମ ବଡ ଠାକୁର
ସମସ୍ତେ ଜାଣ, ଜଗା ସାଥେ ସର୍ବଦା ସ୍ଥାନ
ଥାଏ ସୁଭଦ୍ରା ଭଉଣୀର ।
ଜାୟା ରୂପେ ନାରୀ ଥାଏ ସବୁବେଳେ
ପତି ସୁହାଗିନୀ ଓ ଗୃହିଣୀ
କନ୍ୟା ରୂପେ ଗୃହକୁ ସଜାଡେ, ସ୍ନେହ
ଭକ୍ତି ଢାଳି, ହୁଏ ଉତ୍ତମ ବିନ୍ଧାଣୀ ।
ମାର କୋଳକୁ ଛୁଇଁ ମଣିଷ ତାର କୁଆଁ
କୁଆଁ ରାବେ ଆଖି ଖୋଲଇ
ନାରୀ ଯୋଗୁ ଜୀବନର ପହିଲି ଆଲୁଅ
ଦେଖି, ମଣିଷ ଆଦ୍ୟ ସ୍ୱର ଉଚ୍ଚାରଇ ।
ନାରୀ, ନୀତି ଶିକ୍ଷା ଦେଇ ସନ୍ତାନରେ
ହୁଅଇ ତ ପ୍ରଥମ ଗୁରୁ
ଏ ସବୁ ଜାଣି ହେ ପୁରୁଷ ଜାତି କୁହ
କିଆଁ ତାକୁ ଅସମ୍ମାନିତ କରୁ ।
ପ୍ରସିଦ୍ଧି ଲଭିଥିଲେ ଗାର୍ଗୀ, ମୈତ୍ରେୟୀ,
ଲୋପାମୁଦ୍ରା
ମୀରା, ପଦ୍ମିନୀ, ଦୁର୍ଗାବତୀ, ଲୀଳାବତୀ
ଓ ସଂଘମିତ୍ରା ।
ଜ୍ଞାନର ପ୍ରତୀକ ଦେବୀ ସରସ୍ବତୀ ଦିଅନ୍ତି
ତେଣୁ ନାମ ତାଂକର ଜ୍ଞାନଦାତ୍ରୀ
କର୍ମ ଯୋଗୁ ବନ୍ଦନୀୟା ପରା ଦ୍ରୌପଦୀ
ଅନସୂୟା, ସୀତା ଓ ସାବିତ୍ରୀ ।
ସ୍ୱର୍ଗ ରଚିପାରେ ନର୍କ ବି ତିଆର କରେ
ନାରୀ ଲାଗି ଘର ପରିବାର
ସର୍ବଗୁଣମୟୀ ନାରୀଟିଏ ଲାଗି ହସି ଉଠି
ଥାଏ ସିନା ସବୁ ପରିବାର ।
ନାରୀ କୁସୁମ ପରି କୋମଳ, ଦରକାର
ବେଳେ ବୀରତ୍ୱର ଅଛି ବାଣୀ
ସମୟ ପଡିଲେ ମା କାଳୀ ରୂପେ ନାରୀ
ବିପଦରେ ହୁଏ ସଂହାରକାରିଣୀ ।
ଚିକିତ୍ସକ କୁନ୍ତଳା ସାବତ, ଫୁଲେ ନାରୀ
ଶିକ୍ଷାର କରିଥିଲେ ପ୍ରସାର
ସେମାନଂକ ପାଇଁ ଆଜି ରହିଛି ଶିକ୍ଷା
ଦୀକ୍ଷାରେ ପୁରୁଷ ସଂଗେ ନାରୀର ।
ରାଣୀ ଲଷ୍ମୀବାଇ, ତୁଳସୀମୁଣ୍ଡା, ମଦର
ଟେରେସା ଭଳି ନାରୀଂକ ଦେଶରେ
ନାରୀ କିପରି ହୁଏ ଅସମ୍ମାନିତ, କେଉଁ
କାରଣରୁ ସମାଜ କଳୁଷିତ ହୁଏରେ ।
ରାମ ମୋହନ ରାୟ ଫକୀର ମୋହନ ମଧୁ
ସୁଦନ ପରି ଦେଶପ୍ରେମୀ ଜାଣିଥିଲେ
ନାରୀ ଶିକ୍ଷା ପାଇଲେ, ଆଗେଇବ ଦେଶ,
ପଛରେ ପଡିବ ଅଶିକ୍ଷିତ ହେଲେ ।
ହେ ପୁରୁଷ ସମାଜ, ରଖ ମଣିଷତ୍ୱ ଓ ହୁଅ
ବିବେକୀ, ଚିର କାଳ ସମ୍ମାନ ଲଭିବ
ପୁରୁଷତ୍ବ ଅଛି ତୁମ ଠାରେ, ସଦୁପଯୋଗ
କଲେ ଯାଇ ମର୍ଯାଦା ସିନା ପାଇବ ।
