ମନା କରନାହିଁ ରଖ
ମନା କରନାହିଁ ରଖ
ସନା ବାପାଙ୍କର ପେଟ କାଟୁଅଛି
ଓଷଦ ଦି' ପାନ ଦିଅ,
ଯେତେ ଖାଇଲେ ବି ଦେହରେ ଲାଗୁନି
ଦୁରୁବଳ ଦିଶେ ଝିଅ ।
ଲଗେଇ ଲଗେଇ ନିଆଁଲଗା ସେଇ
କାଶଟା ଆସୁଛି ରାତି,
ଆମେ ଖଟିଖିଆ ଲୋକ ଏ ବେମାରି
ଦାଉ ସାଧିଲାଣି ନିତି ।
କବିରାଜେ ତୁମେ ଗତଥର ଯେଉଁ
ଅଉଷଧ ଥିଲ ଦେଇ,
ସେଇଥିରେ ପୁଅ ଜର ଭଲ ହେଲା
ମାତ୍ର ତିନି ପାନ ଖାଇ ।
ନ' ଖଣ୍ଡ ଗାଆଁରେ ତୁମ ନାଆଁ ଡାକ
ଶୁଣି ଧାଉଁଛନ୍ତି ଲୋକ,
ଝିଅକୁ କଅଣ ଜଡ଼ିବୁଟି ଦିଅ
ହେବ ଯେହ୍ନେ ଭାରି ଭୋକ ।
ଯାହା ଖାଇଲେ ତା' ଦେହରେ ଲାଗିବ
ୟାଙ୍କ ରୋଗ ହେବ ଭଲ,
ରୋଜଗାର ତକ କାମରେ ଲାଗିବ
ହେବୁନାହିଁ କଲବଲ ।
ତୁମରି ପାଉଣା କାନିରେ ବାନ୍ଧିଛି
ମନା କରନାହିଁ ରଖ,
ଏତେ ଲୋକଙ୍କର ଚିକିତ୍ସା କରୁଛ
ଭରସାଟି ତୁମପାଖ ।