STORYMIRROR

Bauribandhu Lenka

Romance

4  

Bauribandhu Lenka

Romance

ମନ ସାଗରର ତୀରେ

ମନ ସାଗରର ତୀରେ

1 min
348


ମନ ସାଗରର               ବେଳାଭୂମିପରେ

         ବାଲୁକା ଶଯ୍ୟାରେ ବସି

ସ୍ମୃତିର ଶାମୁକା               ସାଉଁଟୁ ଥିଲି ମୁଁ

         ସପନରେ ଭାସି ଭାସି ।


କେତେ ଅସଜଡା            ସ୍ମୃତିର ଶାମୁକା

          ପଡିଥିଲେ ଇତସ୍ତତଃ

ସାଉଁଟି ସଜାଡି               ରଖିବା ପାଇଁକି

          ମନ ଥିଲା ବିଚଳିତ ।


କେଉଁ ସ୍ମୃତି ମୋର        ଗାଉଥିଲା ଘୋର

         ଦୁଃଖ ଦୈନ୍ୟର ରାଗିଣୀ

କିଏ କହୁଥିଲା                 ବିଦଗ୍ଧ ମନର

        ଭଗ୍ନ ପ୍ରେମର କାହାଣୀ ।


ସବୁ ସ୍ମୃତି ଥିଲେ            ଜୀବନ ଗୀତିର

         ଗୋଟିଏ ଗୋଟିଏ ତାନ

କାହାକୁ ରଖିବି              କାହାକୁ ଭୁଲିବି

         ଥିଲା ମୋ ପାଇଁ କଠିନ ।


ଅସଂଯତ ମନ              ଏକାନ୍ତରେ ବସି

          ହେଉଥିଲା ବିଚଳିତ

ତୁମର ସେ ସ୍ନିଗ୍ଧ            କୋମଳ ପରଶ

         ମନକୁ କଲା ମୋ ଶାନ୍ତ ।


ସ୍ୱପ୍ନ ଅବା ସତ୍ୟ            ଭାବି କିଛି କ୍ଷଣ

        ଖୋଲି ମୋ ବେନି ନୟନ

ଦେଖିଥିଲି ଯାହା          ନଥିଲା ସେ ସ୍ୱପ୍ନ

        ଥିଲା ସେ ବାସ୍ତବ ଜାଣ ।


କାହିଁକି କିପରି                କଅଣ ଏପରି

         ଟାଣିନେଲି ତୁମ ମନ

ବାଛିନେଲ ସାଥୀ         ରୂପେ ଜୀବନର

        ମୋତେ ତୁମେ ଚିରଦିନ।


ତୁମକୁ ପାଇ ମୁଁ             ସବୁ ପାଇଗଲି

        ପାଇଲି ଜୀବନେ ଆଶା

ମଉଳା ସପନ           ପାଇଲେ ଜୀବନ

     ମନେ ମୋ ପ୍ରୀତିର ଭାଷା ।


କଣ୍ଠରୁ ତୁମର              ଝରିଲା ଷଡଜ

       ଆଦି ଯେତେ ସପ୍ତ ସ୍ୱର

କେତେବେଳେ ତୀବ୍ର ଅବା ସେ କୋମଳ

      ମୋହିଲା ମନ ମୋହର ।


ଗାଇଗଲ କେତେ       ପ୍ରୀତିର ରାଗିଣୀ

        ହସି ଉଠିଲା ସଂସାର

କଲେ ତମେ ରୋଷ     ହେବ ସର୍ବନାଶ

        ଜୀବନ ହେବ ଅସାର ।


ଜୀବନର ଧାରା       ହୋଇଲା ନିଆରା

        ଜାଗିଲା ଆତ୍ମ ବିଶ୍ୱାସ

ପଙ୍ଗୁ ହୋଇ ଗିରି      ଲଙ୍ଘିବାକୁ ମୋର

       ମନେ ଭରିଲା ସାହସ ।


କେବେ କଣ ପ୍ରୀତି      ଜୀବନର ରୀତି

        ବଦଳାଏ ଏହି ଭାବେ

ଜାଣି ମୁଁ ନଥିଲି           ଶୁଣି ମୁଁ ନଥିଲି

        ଅନୁଭବ ହେଲା ଏବେ ।


ଆଙ୍କିବିନି ଛବି           ଅତୀତକୁ ଭାବି

        ତୁମକୁ ଜୀବନେ ପାଇ

ପ୍ରୀତିରସେ ଭିଜି          ତୁମ ସହ ମଜି

        ଜୀବନ ଜିଇବି ମୁହିଁ ।


Rate this content
Log in

Similar oriya poem from Romance