ମନ ସାଗରର ତୀରେ
ମନ ସାଗରର ତୀରେ
ମନ ସାଗରର ବେଳାଭୂମିପରେ
ବାଲୁକା ଶଯ୍ୟାରେ ବସି
ସ୍ମୃତିର ଶାମୁକା ସାଉଁଟୁ ଥିଲି ମୁଁ
ସପନରେ ଭାସି ଭାସି ।
କେତେ ଅସଜଡା ସ୍ମୃତିର ଶାମୁକା
ପଡିଥିଲେ ଇତସ୍ତତଃ
ସାଉଁଟି ସଜାଡି ରଖିବା ପାଇଁକି
ମନ ଥିଲା ବିଚଳିତ ।
କେଉଁ ସ୍ମୃତି ମୋର ଗାଉଥିଲା ଘୋର
ଦୁଃଖ ଦୈନ୍ୟର ରାଗିଣୀ
କିଏ କହୁଥିଲା ବିଦଗ୍ଧ ମନର
ଭଗ୍ନ ପ୍ରେମର କାହାଣୀ ।
ସବୁ ସ୍ମୃତି ଥିଲେ ଜୀବନ ଗୀତିର
ଗୋଟିଏ ଗୋଟିଏ ତାନ
କାହାକୁ ରଖିବି କାହାକୁ ଭୁଲିବି
ଥିଲା ମୋ ପାଇଁ କଠିନ ।
ଅସଂଯତ ମନ ଏକାନ୍ତରେ ବସି
ହେଉଥିଲା ବିଚଳିତ
ତୁମର ସେ ସ୍ନିଗ୍ଧ କୋମଳ ପରଶ
ମନକୁ କଲା ମୋ ଶାନ୍ତ ।
ସ୍ୱପ୍ନ ଅବା ସତ୍ୟ ଭାବି କିଛି କ୍ଷଣ
ଖୋଲି ମୋ ବେନି ନୟନ
ଦେଖିଥିଲି ଯାହା ନଥିଲା ସେ ସ୍ୱପ୍ନ
ଥିଲା ସେ ବାସ୍ତବ ଜାଣ ।
କାହିଁକି କିପରି କଅଣ ଏପରି
ଟାଣିନେଲି ତୁମ ମନ
ବାଛିନେଲ ସାଥୀ ରୂପେ ଜୀବନର
ମୋତେ ତୁମେ ଚିରଦିନ।
ତୁମକୁ ପାଇ ମୁଁ ସବୁ ପାଇଗଲି
ପାଇଲି ଜୀବନେ ଆଶା
ମଉଳା ସପନ ପାଇଲେ ଜୀବନ
ମନେ ମୋ ପ୍ରୀତିର ଭାଷା ।
କଣ୍ଠରୁ ତୁମର ଝରିଲା ଷଡଜ
ଆଦି ଯେତେ ସପ୍ତ ସ୍ୱର
କେତେବେଳେ ତୀବ୍ର ଅବା ସେ କୋମଳ
ମୋହିଲା ମନ ମୋହର ।
ଗାଇଗଲ କେତେ ପ୍ରୀତିର ରାଗିଣୀ
ହସି ଉଠିଲା ସଂସାର
କଲେ ତମେ ରୋଷ ହେବ ସର୍ବନାଶ
ଜୀବନ ହେବ ଅସାର ।
ଜୀବନର ଧାରା ହୋଇଲା ନିଆରା
ଜାଗିଲା ଆତ୍ମ ବିଶ୍ୱାସ
ପଙ୍ଗୁ ହୋଇ ଗିରି ଲଙ୍ଘିବାକୁ ମୋର
ମନେ ଭରିଲା ସାହସ ।
କେବେ କଣ ପ୍ରୀତି ଜୀବନର ରୀତି
ବଦଳାଏ ଏହି ଭାବେ
ଜାଣି ମୁଁ ନଥିଲି ଶୁଣି ମୁଁ ନଥିଲି
ଅନୁଭବ ହେଲା ଏବେ ।
ଆଙ୍କିବିନି ଛବି ଅତୀତକୁ ଭାବି
ତୁମକୁ ଜୀବନେ ପାଇ
ପ୍ରୀତିରସେ ଭିଜି ତୁମ ସହ ମଜି
ଜୀବନ ଜିଇବି ମୁହିଁ ।

