ମନ ମୁକୁର
ମନ ମୁକୁର
ତୋ ବିଶ୍ବାସଘାତକ
ଆଜି ମୋତେ ଦେଇଛି ଭାଙ୍ଗି
ଖଣ୍ଡ ଖଣ୍ଡ ହୋଇ ପଡିଛି
ଏଇ ମାଟି ଉପରେ ।
ନିଜକୁ ଗୋଟାପଣେ
କରିଥିଲି ତୋର
ଥିଲା ମୋ ବିଶ୍ବାସ
ତୁ ଗୋଟେଇ ନେବୁ ମୋତେ
କୋଳେଇ ନେବୁ
ପଡିବା ଆଗରୁ ।
ଏବେ କିନ୍ତୁ ସବୁ ଖଣ୍ଡ ଖଣ୍ଡ
ଗୋଟାଇଲେ ବି ଯୋଡି ହୁଏନା
ସଜାଇଲେ ବି
ରହିଯାଏ ଦରଗଢା ।
ତୋ ଭିତରେ ନିଜକୁ ଦେଖୁଥିଲି
ମୁଁ ମୋର ଛବି
ତୁ ଥିଲୁ ମୋ ଆଇନା
ମୋ ପ୍ରତିବିମ୍ବ ତୋ ଭିତରେ ଥିଲା
ଅତି ସ୍ପଷ୍ଟ ଭାବରେ ।
ଆଜି ଜାଣିଲି
ସେ ନ ଥିଲା ଆଇନା ,
ଥିଲା ଖାଲି ମୋ ମନର ଭାବନା
ମୋ ହୃଦୟର କଳ୍ପନା ।
ହାତରୁ କେମିତି ଖସିଲା
ଅବା କିଏ ଖସାଇଦେଲା
ତଳେ ପଡି ବିଛୁରି ଗଲା
ପ୍ରୀତି କୁ ହଜାଇ ଦେଲା ।
ତା ସହ ହଜିଗଲା ମୋ ସ୍ଥିତି ,
ସେ ପ୍ରତି କାଚଖଣ୍ଡରେ
ମୋ ଚେହେରା ବି ଆଜି
ଟିକ୍ ଟିକ୍ , ଖଣ୍ଡ ଖଣ୍ଡ ।
ଚାହିଁଲେ ବି ଯୋଡି ପାରେନା
ଗୋଟିଏ ଝଣ୍ କରି ଶବ୍ଦରେ
ହଜିଗଲା ମୋ ପ୍ରତିବିମ୍ବ ।
ସେ ଭଙ୍ଗା ଖଣ୍ଡରୁ
ଖାଲି ଦେଖାଯାଏ
ଅଧା ଅଧା ସେ ଆଖିର ଚିତ୍ର
ଯାହା କାଲି ଯାଏଁ
ତୋ ବିଶ୍ବାସରେ ଥିଲା
ମୃଗ ନୟନା ସମ ସୁନ୍ଦର ।
କୋମଳ ଗାଲର ଚିତ୍ର ଆଜି
ଧୁନ୍ଦଲା ଧୁନ୍ଦଲା , କଟା କଟା ,
ଯାହା ଥିଲା କାଲି ତୋ ପାଇଁ
ଲାଜ ରେ ଲାଲ୍ ଲାଲ୍ ।
ତୋ ନିଶାରେ ଯେ ଥିଲା
କାଲି ଗୋଲାପି ମଧୁଭରା
ସେ ଓଠ ଆଜି ପିଉଛି ସମୁଦ୍ର ପାଣି
ଥରୁଛି ଆଜି
ତାର ସବୁ କିଛି କୁ ହରାଇ ।
ତୋର ସେ ବିଶ୍ବାସଘାତକ
ସାଜି ମସୃଣ ଚଟାଣ
ଦେଲା ଭାଙ୍ଗି ମୋ ମୁକୁରକୁ
ନିଜକୁ ଗୋଟାପଣେ
ଖୋଜୁଛି ମନେ ପକାଇ ପୁରୁଣା ସ୍ମୃତିକୁ ।
