ମନ କରିଦେଲ ଉଣା
ମନ କରିଦେଲ ଉଣା
ଚାନ୍ଦକୁ ମାଗିଲି ,
ମୁଠାଏ ଜୋଛନା,
ଦେଲା ଗୋଟେ ଜହ୍ନରାତି।
ରଜନୀକୁ ଟିକେ,
ମାଗିଲି ସୁହାଗ,
ଦେଲା ସ୍ବପ୍ନ ଅସରନ୍ତି।
ସକାଳକୁ ଟିକେ,
ମାଗିଲି ଆଲୋକ,
ଦେଇଦେଲା ଗୋଟେ ଦିନ।
ଫୁଲକୁ ଟିକିଏ,
ମାଗିଲି ମହକ,
ଦେଇଦେଲା ଉପବନ।
ପାଦପେ ମାଗିଲି,
ଟିକେ ସବୁଜିମା,
ରଚିଦେଲା ସେ ବନାନୀ।
ପାଦ ଥାପିବାକୁ,
ଭୂମି ମାଗିଲି ମୁଁ,
ମିଳିଲା ସାରା ଅବନୀ।
ମାଗିଲି ଆକାଶେ,
ଗଣ୍ଡୁଷେକ ଜଳ,
ଦେଲା ସେ ଶ୍ରାବଣୀ ଧାରା।
ସମୟକୁ ଯେବେ,
ମାଗିଲି ଅତୀତ,
ଖୋଲିଲା ସ୍ମୃତି ପସରା।
ଚକ୍ରବାଳକୁ ମୁଁ,
ରଙ୍ଗ ମାଗିଲି ସେ,
ଇନ୍ଦ୍ରଧନୁ ଆଙ୍କିଦେଲା।
ବସନ୍ତକୁ ଟିକେ,
ମାଗିଲି ସ୍ପର୍ଶ ସେ,
ମଳୟ ଛୁଟେଇଦେଲା।
କଇଁକୁ ମାଗିଲି ,
ଭାବ ଅନୁରାଗ,
ସେ ଦେଲା ତୁମ ଠିକଣା।
ତୁମକୁ ମାଗିଲି,
ପ୍ରୀତି କାଣିଚାଏ,
ମନ କରିଦେଲ ଉଣା।।

