ମଧୁର ମଧୁର ବଇଁଶୀ ବାଜୁଛି
ମଧୁର ମଧୁର ବଇଁଶୀ ବାଜୁଛି
ମଧୁର ମଧୁର ବଇଁଶୀ ବାଜୁଛି
ଦିଶିଯାଏ ବୃନ୍ଦାବନ,
ଗୋପିକା ମାନଙ୍କ କାଖରେ କଳସୀ
ଯମୁନା ତୀରେ ଗମନ ।
ବାଟ ଜଗି ଅଛି ମଦନ ମୋହନ
ନଟ ନାଗର କହ୍ନେଇ,
କଦମ୍ବ ମୂଳରେ କେତେ ସରାଗରେ
ହସ କୁସୁମ ଫୁଟେଇ ।
ଆଖିକୁ ନଚେଇ ଚାହୁଁଅଛି ସିଏ
ବୃଷ ଭାନୁ ର ନନ୍ଦିନୀ,
କେଣେ ଦିଶେ ନାହିଁ ବ୍ରଜ ନାରୀ ସାଥେ
ଏଡିକି ଅଭିମାନିନୀ ।
କାହ୍ନା ଖୋଜେ ରାଧା ,ମୀରା ଖୋଜେ କାହ୍ନା
ଗୋପୀ ସକଳ ଖୋଜନ୍ତି,
ଥାଏ ସେ ଏଠାରେ ପୁଣି କେଉଁ ଠାରେ
ଧରା କା'ରେ ନ ଦିଅନ୍ତି ।
ଷୋଳ ସସ୍ର ତପି ତାକୁ ଜପି ଜପି
ହୋଇଲେ ଗୋପୀ ଦ୍ବାପରେ,
ମୋହନ ମୋହିଲେ ବାଙ୍କ ଚାହାଣୀ ରେ
କିଏ ବା ତାକୁ ନ ଝୁରେ ।
କବାଟ ଫାଙ୍କରେ କେତେ ଆତୁରରେ
ବାର ବାର ଦେଖେ ଦୂତୀ,
କହିବ ଯାଇ ସେ ଦେବକୀ ନନ୍ଦନ
ବାତୁଳୀ ଶୋଇନି ରାତି ।
ରାତି ଉଜାଗର ଗୋପିକା ସକଳ
ତ ସକାସେ ରାଧାଶ୍ୟାମ,
ଦାମ ସୁବଳ ଙ୍କ ସାଙ୍ଗ ଛାଡି ତୁ'ରେ
ଆସ ଥରେ ଘନ ଶ୍ୟାମ ।
ଦୁଧ ଦୁହୁଁ ଦୁଁହୁ ଦହି ମୋହୁ ମୋହୁ
ଅଟକି ଯାଉଛି ହାତ,
ଲବଣୀ ଚୋର ସେ ରାଧା ମଥା ମଣି
କେବେ ଆସିବ କହତ ।
ମଥୁରା କୁ ଗଲୁ ଗୋପୀଙ୍କୁ ଭୁଲିଲୁ
ଭୁଲି ଗଲୁ ତୋର ରାଧା,
ଗୋପ ଦାଣ୍ଡ ତୋର ମନେ ପଡିଲାନି
ଦ୍ବାରକା ର ହେଲୁ ରାଜା ।
ଏବେ ବି ଚଞ୍ଚଳ ଯମୁନା ର ଜଳ
ଶୁଭିଯାଏ ବେଣୁ ସ୍ବନ,
କେତେ ପାପି ଚାପି ଚାହିଁ ରହିଛନ୍ତି
ଦେବୁ ତାଙ୍କୁ ଦରଶନ ।

