ସମ୍ପଦ ଵିପଦ
ସମ୍ପଦ ଵିପଦ
ସମ୍ପଦ ବିପଦ
ସବୁ ତୋ ଭିଆଣ,
ମଝିରେ ମୁଁ ହରବର
ଜାଣି ପାରୁନାହିଁ
ପ୍ରଵେଶ ପ୍ରସ୍ଥାନ,
କେଉଁଟି କୋଉ ରୂପର ।
ସବୁବେଳେ ଲୋଡା
ବିଳାସ ଜୀବନ,
ନଫୋଡୁ ପାଦେ ମୋ କଣ୍ଟା
ବରଷା ବତାଷି
ନ ଆସୁ କେବେବି,
ନ ହଲୁ କେବେ ମୋ ଅଣ୍ଟା ।
ସ୍ତୁତି ମୁଁ କରଇ
ତମକୁ କେବଳ,
ଧନ ଧାନ୍ୟ ପାଇଁ ସଦା
ସାଜୁଜ୍ୟ ମୁକତି
କିମ୍ପା ମୁଁ ଖୋଜିବି,
ଧନ ମିଳୁ ସରବଦା।
ଯିଏ ଯାହା ଖୋଜେ
ଜାଣି ତା'ର ମନ,
ଦିଅ ତା' ହାତ ମୁଠାରେ
ସର୍ବ ମଙ୍ଗଳ ହେ
ଜଗନ୍ନାଥ ତୁମେ,
ତାକୁ ଦିଅ ତା ଇଛାରେ।
ଚୋର ଡାକେ ମୋତେ
ନିଅ ସେଇ ବାଟେ,
ଯେପରି ନ ପଡେ ଧରା
ଜହ୍ନ ଢାଙ୍କି ଦିଅ
ଅନ୍ଧାରୁଆ କର
ଯିଏ ସେ ଦେଉ ପହରା ।
ସାଧୁ କହେ ମୋତେ
ଗରିବ ରଖ ହେ,
ତମକୁ ଡାକେ ନିରତେ
ହୀରା, ନିଳା, ମୋତି
ସ୍ବପ୍ନ ନ ଦେଖାଅ
ଭୁଲି ଯିବି କାଳେ ତୋତେ ।
ଘାଣ୍ଟି ହେବି ନାହିଁ,
ପାପ-ପଙ୍କେ ମୁହିଁ,
କରିବ କଲ୍ୟାଣ ସତେ
ନଶ୍ଵର ଦୁନିଆଁ
ଅଢେ଼ଇ ଦିନିଆଁ
କେତେ ଦିନ ବା ଆୟୁଷ
ସାରା ମୁଲକର
ସୁଖ ଠୁଳ ହେଉ,
ଧାଉଁ ଥାଏ ଏ ସକାଶ ।
ସବୁ ଦେଇ ଦିଏ
ଯିଏ ଯାହା ମାଗୁ,
ତୋତେ ପାରିବିନି ଦେଇ
ଥାଅ ସଦା ମୋର
ଭଙ୍ଗା କୁଡ଼ିଆରେ,
ଏତିକି ବାଞ୍ଛା କହ୍ନେଇ ।