ରୂପା ଶଗଡ଼ିରେ ସୁନା କନିଆଁ
ରୂପା ଶଗଡ଼ିରେ ସୁନା କନିଆଁ
ତୁ ଲୋ ଗୋରୀ ଚହଟ ଚିକ୍କଣ ଅନିନ୍ଦ୍ୟ ସୁନ୍ଦରୀ
ମନଲୋଭା ସଜଫୁଟା ଗୋଲାପ ଫୁଲ ପରି
ରୂପ ରାଇଜର ତୁ ରୂପବତୀ ଅପସରୀ
ମୋତେ ତୁ କଲୁ ଲୋ କି କିମିଆଁ
ଭଲ ପାଇ ବସିଲି ଦେଇ ମନ ପ୍ରାଣ ହୃଦୟ
ତୋ ପାଇଁ ମୋର କିଛି ରହିବ ନାହିଁ ଅଦେୟ
ତୋତେ ନଦେଖିଲେ ଦଣ୍ଡେ ହୁଏ ଛାନିଆଁ
ତୁ ହେବୁ କି ମୋ ରୂପା ଶଗଡ଼ିରେ ସୁନା କନିଆଁ
ତୁ ଲୋ ଆକାଶର ପୁନେଇଁ ଜହ୍ନ
ସ୍ନିଗ୍ଧା ଶୋଭାମୟୀ ତୁ ନିର୍ମଳ ତୋର ମନ
ତୋ ପ୍ରୀତିର ଜୋଛନାରେ ଭିଜାଉ ମୋ ବଦନ
ଅପଲକରେ ଚାହିଁ ଥାଏଁ ତୋତେ ରାତିଦିନ
ଛାତିର ତାତିରେ ହୃଦୟେ ଜଳେ ବିରହ ନିଆଁ
ଭାବିଛି ତୁ ମୋର ରୂପା ଶଗଡ଼ିରେ ସୁନା କନିଆଁ
ଆସେ ନାହିଁ ନିଦ ବିତେ ରାତି ରହି ଉଜାଗର
ତୋ କଥା ସବୁବେଳେ ମନେ ପଡ଼େ ମୋର
ଆସେ ଫଗୁଣ ଭାବ ଆଣିଦିଏ ଦିଗୁଣ
ଫୁଲର ମହକେ ମହକି ଯାଏ ମୋ ପରାଣ
ପ୍ରଜାପତି ପରି ତରକି ତରକି ଉଡ଼ି ବୁଲେ ଖାଲି
ମୋ ଆଶା ଆକାଂକ୍ଷା ଭରସାର ଡେଣା ମେଲି
ପ୍ରେମର ମୃଦୁ ମଳୟ ଉଡ଼ାଇ ନିଏ ମୋତେ
ଧିର ସ୍ଥିର ହୋଇ ରହି ପାରୁନି ମୁଁ ଭୁଲି ତୋତେ
ଶୀତଳ ହେବ ସନ୍ତପ୍ତ ପ୍ରାଣ ପାଇଲେ ତୋ ଛୁଆଁ
କରି ନେବି ତୋତେ ରୂପା ଶଗଡ଼ିରେ ସୁନା କନିଆଁ
ଭାରି ଦଗାଦିଆ ପ୍ରେମର ଏ ଭରା ନିଶା
ଦିନ ସରେ ରାତି ସରେ ସରେ ନାହିଁ ଆଶା
ମନକୁ ମନ ପ୍ରମାଦ ଗଣେ ମୁଁ ଅଯଥାରେ
ଯେତିକି ଯେତିକି ଦିନ ଗଡ଼ି ଯାଏ ଅପେକ୍ଷାରେ
ସେତେ କିଟିମିଟିଆ ଅବାଗିଆ ଲାଗେ ଦୁନିଆଁ
ଶଙ୍କା ସନ୍ଦେହର ଉଠେ କୁହୁଡ଼ି ଧୂଆଁ
କାଳେ ଘନେଇ ଆସିବ କି ଅଦିନରେ ଝଡ଼
ଭାଙ୍ଗି ଦେବ ଆଶା ସ୍ବପ୍ନର ମୋ ସଜାଡ଼ି ନୀଡ଼
ତରବରରେ ଅସ୍ତବ୍ୟସ୍ତ ଇଚ୍ଛା ହୁଏ ଅମାନିଆଁ
କରି ନେବାକୁ ତୋତେ ଜୀବନ ସାଥୀ
ହେବୁ କି ମୋ ରୂପା ଶଗଡ଼ିରେ ସୁନା କନିଆଁ ?

