ସମ୍ପର୍କ ସାଥିରେ ବଞ୍ଚିଗଲା ପରେ
ଛିଡ଼ିଯାଉ ଡ଼ାଳ ଓପାଡୁ ମୂଳ
ଦୂରେଇ ଯିବା ନୁହେଁ ସହଜ
କି ମାୟା ମମତା ମୋହ ବିସ୍ତାରିଛି କାୟା
ଜାଣିବା ଭାରି ଅସହଜ
ନୀରବତା ହେଉ ଅବା ପ୍ରଗଳ୍ଭତା
ସବୁଥିରେ ଥାଏ ପରିସୀମା କ୍ଷେତ୍ରଫଳ
ଦୁଇ ଅସମାନ୍ତର ସରଳ ରେଖା ଭାଗ୍ୟ ଯୋଗ
ଛିଡେନା ଯେତେ କର ବି କରଜ
ଗୀତା ଭାଗବତ ପଢ଼ ଚାରିଧାମ ଭିଡ଼
ଭିତରେ ସଂସାରେ ସଂସାରୀ ନୀଡ଼
ଭାଙ୍ଗିବା ନୁହେଁ ସହଜ
ବାଜୁ ଯେତେ ପ୍ରାରବ୍ଧ ପଖଉଜ
ଆରବ୍ଧ ଆଣିଛି ଅଣ୍ଟିରେ ଅଣ୍ଟିଏ ସରାଗ
ଭୁଲି ରୁଷା ଦ୍ୱେଷ ରାଗ
ସଭିଏଁ ମିଳି ଯୋଡି ଯୋଡି ବଣି ଗଲେ ଉଡି
ଆକାଶେ ନିସ୍ତବ୍ଦ ପକ୍ଷୀ ବାଜ
ବୋବେଇ ନାହିଁ ତଥାପି ନୀରବତା କହି
ସଂସାର ନିୟମ ହେଜ
ମେଘ ଆସୁ କି ଆସୁ ଲଘୁଚାପ
ବନସ୍ତେ ଡାକୁଛି ଗଜ
କହୁଛି ସଂସାର ଗଉଣୀ ଖଇ କଉଡ଼ିକୁ
ବର କନିଆଁ ସାଜ
ଗଲେ ଜଳି ଜୁଇ ମରିବା ନିଶ୍ଚୟ
ସଂସାର ନଉକା କରିଥାଅ ସଜ