ମୋ ପୃଥିବୀ ହିଁ ମୋ ରାସ୍ତା
ଆଖି ପାଇବା ଯାଏଁ ଚିରୁଡାଏ
ମୋ ଘର ହିଁ ମୋ ପୃଥିବୀ
ଏରୁଣ୍ଡିଟା ହାତରୁ ଅଧେ ଫାଳେ କି
ଚିରୁଡେ ଅବା ଚଉଠାଏ
ମୋ ଦାଣ୍ଡ ମୋ ସପନ ଯାଏଁ ବିସ୍ତୃତ
ଭାରି ଅନ୍ଧାରୁଆ ଚିମୁଟାଏ
ମୋ ବାରି ମୋ ଛୋଟ ଆଶାକୁ ଧରି
ମାଗୁଣି ଶଗଡି ଗୀତ ଗାଈ ଶୁଣାଏ
ମୋ ମିତ ସେହି ଓଢଣା ଫାଙ୍କେ
ଦିଶୁଥିବା ଉଦାସିଆ ଜହ୍ନଟିଏ
ମୋ ଗୀତ ସପନକୁ ନିଅଣ୍ଟ
କିନ୍ତୁ ଅଣ୍ଟିଏ
ମୋ ଜାତ ଗୁହାଳ ଯାଏଁ
ମୋ ହାତ ଗଛ ଲଗାଏ
ମୋ ମେହନତ ମୋ ପରିବାର ପାଇଁ
ଅସୁମାରି ସ୍ବପ୍ନ ଛିଦ୍ର ରୁଏ
ଏମିତିରେ ସଂସାରେ ସଂସାରୀ ହୋଇ
ଆକତା ମାକତା ହେଉ ହେଉ
ମୋ ଟ୍ରଲି ଖରା ବର୍ଷା ଶୀତରେ ଧାଏଁ
କୁଆଡେ କେତେବେଳେ କୋଉଠିକୁ
ମତେ ତ କେବେ ନୁହେଁ
ମୋ ଭାଗ୍ୟ ଜାଣିଥାଏ
ଏମିତିରେ ଦୌଡୁ ଦୌଡୁ ଆଜିଯାଏଁ
ଜାଣିଛି ନିଜର ବୋଲି ଜଣେ ଅଛି ନିଶ୍ଚେ କିଏ
ରୂପ ରଙ୍ଗ ନାହିଁ ଖାଲି ଅନୁଭବରେ
ପାଶେ ପାଶେ ଥାଏ
ମୁଁ ମାଗୁଣିକୁ ଭଲପାଇ ତା ଗୀତ ପରି
ସକାଳୁ ଟ୍ରଲି ପୋଛୁଥାଏ
ଏମିତି ପୋଛିବାକୁ ହେବ ରାସ୍ତା ସରିବା ଯାଏଁ