ମିଛ ଥିଲା ସେହି ଭାବ
ମିଛ ଥିଲା ସେହି ଭାବ
ଅନନ୍ତ ଗମ୍ଭୀର ଆକାଶେ ଗଭୀର
ଭାବନାର ଇତିହାସ
ଫୁଟାଇଲା ଯିଏ ତାକୁ ପଢି ସିଏ
କରୁନି ତ ପରିହାସ !
ମୋର ଦୁର୍ବଳତା କର୍ମ ବିଫଳତା
ଯାଇଥିଲା ଯାହା ବିତି
ତାତ୍ସଲ୍ୟ ନକର ନୁହେଁ ସୁଖକର
ଜୀବନ ଘଟର ରୀତି ।
ଘଟେ ଥିଲା ଯାହା ତାକୁ ନେଇ ଆହା
ଭାବୁଥିଲି ଭାଗ୍ୟଶାଳୀ
ରସହୀନ କରି ଭିନ୍ନଘଟେ ଭରି
ନେଇଗଲା କେଉଁ ବାଳୀ ।
ସରଳ ସେ' ହସ କଲା ଯଦି ବଶ
ବିଡମ୍ବନା ଇଏ ବୋଲି
ପ୍ରଣୟ ଅର୍ଚ୍ଚନା କିବା ପ୍ରବଞ୍ଚନା
କିପରି କହନ୍ତି ଖୋଲି ?
ଚାନ୍ଦିନୀ ରାତିରେ ମିଶି ମୋ' ସାଥିରେ
କହି ପ୍ରୀତିକର କଥା
ନେଲେ ମଧ୍ୟ ମୋହି କିପାଇଁ ଯେ ଦ୍ରୋହୀ
କରିଗଲା ଦେଇ ବ୍ୟଥା !
ହସ ହସମୁଖେ ଆସି ମୋ' ସମ୍ମୁଖେ
ଚାଲିଗଲା ନିଦ ଭାଙ୍ଗି
ଆଲିଙ୍ଗନ ବିନା ନିରର୍ଥକ ସିନା
ସ୍ବପ୍ନରୁ ଉଠିଲି ଜାଗି ।
ପ୍ରୀତି ସୁହାଗିନୀ ଉଷାନୁରାଗିଣୀ
ରଚିଗଲା ମଧୁମାୟା
ଆତୁର ପଲକେ ସହସା ଝଲକେ
ମୋହିନୀ ରୂପର ଛାୟା ।
ପାଥେୟ ସେ' ସ୍ମୃତି କରିବାକୁ ଧୃତି
ନଥିଲା ତ ଆନ ପନ୍ଥା
ଆକାଶର ଫାଳେ ଅରୁଣ କପାଳେ
ଉଲ୍ଲେଖ ହୋଇଛି ଯଥା ।
ଛୋଟ ଜୀବନରେ ଏସବୁ ମନରେ
ହେଲେ ହେଉଥିବି ଗୁଣି
ନୀରବ ମୁଁ ଏବେ କାହା ମୁଖୁ ଯେବେ
ଦୁଃଖକଥା ଦିଏ ଶୁଣି ।
ଉତ୍ତାପରେ ଜଳି ପତ୍ରଝଡା ଭଳି
ଚଉଦିଗେ ଫୁଲ ଝରେ
ପାରୁନାହିଁ ଉଡ଼ି ବିଷାଦରେ ବୁଡ଼ି
ମନଭୃଙ୍ଗ ଆଉଥରେ ।
ନୁହଁଇ ଅନ୍ୟଥା ମୋର ଆତ୍ମକଥା
କହିଲେ ହେବନି ଲାଭ
ଭାବନାରେ ଥକି ସାରିଛି ଗୋ ସଖୀ
ମିଛ ଥିଲା ସେହି ଭାବ ।

