ମହାନ ବାରବାଟୀ
ମହାନ ବାରବାଟୀ
ଭଗ୍ନ ବାରବାଟୀ କ୍ରନ୍ଦନରତା
ଅତୀତ ଗାଥାକୁ ସ୍ମରୀ ।
ଶୁଭୁଥିଲା ଯହିଁ ଶଙ୍ଖଭେରୀତୁରୀ
ନିଃଶବ୍ଦ ଆଜି ସେ ପୁରୀ ।।
ନଅ ମହଲାର ରାଜପ୍ରସାଦଟି
ମାଟିରେ ଯାଇଛି ମିଶି ।
ଅନଙ୍ଗ ସମ୍ଭୂତ ମାନସ ସନ୍ତାନ
ଶତେ ଅବା ଶିଳା ଋଷି ।।
ସହସ୍ର ସହସ୍ର ପାଇକ ସୈନ୍ୟଙ୍କ
ତରବାରୀ ଗୁଞ୍ଜରଣ ।
ଫୁଟୁନାହିଁ ତୋପ ବନ୍ଧୁକ, ଗୁଳି
ଶୁଭୁନି ମଣିମା ଧନ୍ୟ ।।
ଯାଉ ନାହିଁ ଏଠୁ ସାଧବ ପୁଅଟି
ବୋଇତେ ଜାଭା, ସୁମାତ୍ରା ।
ଯେଉଁ ସ୍ମୃତି ପାଇଁ ସମ୍ମୁଖେ ଏହାର
ହେଉଅଛି ବାଲିଯାତ୍ରା।।
ମାରି ପାରୁନାହିଁ ଛଞ୍ଚାଣକୁ ଏଠି
ଆଉ ସେ ସାରସ ପକ୍ଷୀ ।
ସୁଶୋଭିତ ଦୁର୍ଗ ବନ୍ଦୀଶାଳା ଭାବେ
ହୋଇ ରହିଅଛି ସାକ୍ଷି ।।
କର୍ପୂର ଯାଇଛି କନା ପଡ଼ିଅଛି
ଆଜି ଏହି ବୀର ବାଟେ ।
ସ୍ମୃତିର ସନ୍ତୁକା ମନ ମାନସରେ
ଶତ ଇଙ୍ଗିତ ଫୁଟେ ।।
ବାରବାଟୀ ଆଜି ବରବଧୂପରୀ
ପଶରା ନିଗାଡି କହେ ।
ଅତୀତର ଶୀରୀ ଅତୀତର ପୁରୀ
ଦରାଣ୍ଡେ ଗୁମୁରା କୋହେ ।।
ଅପାଶୋରା ସେହି ସ୍ମୃତିର ଝଲକ
ଥିଲା ଆଜି କିଛି ନାହିଁ ।
ଗହଳ ନିଦରେ ଗହନ ସ୍ବପନେ
ସତେ ଅବା ଅଛି ଶୋଇ । ।
