STORYMIRROR

Nayana Kumar Mohanta

Tragedy

3  

Nayana Kumar Mohanta

Tragedy

ମହା ପ୍ରୟାଣ

ମହା ପ୍ରୟାଣ

1 min
56

       ଅସ୍ଥି-ଚର୍ମ-ମେଦର

ଏକ କ୍ଷଣଭଙ୍ଗୁର ପୃଥିବୀ

କାଳର କବଳେ ଅଧିନ...

ଇନ୍ଦ୍ରିୟ ସେବି ଆଜୀବନ

    ଲହୁ-ଲୁହରେ ମୁହ୍ୟମାନ,

ଯାବତ ସୁଖର ପରଶ ଓ ଧନ,

କ୍ଷଣିକ ସଙ୍କଟେ ବିଲୀନ

କେତେ ଦୟନୀୟ ସତେ-

ଏ ଜୀବନ


କ୍ରମବର୍ଦ୍ଧିଷ୍ଣୁ ବୟସ

ବିବର୍ତ୍ତୀତ ରୁପ ଓ ଆକାର,

ସ୍ୱତନ୍ତ୍ର ଦାବି ଓ ଡାକ-

    ଦେହ ଓ ହୃଦୟର


ନିର୍ଭରଶୀଳ ଏକ "ବାଲ୍ୟ"

ପରାଙ୍ଗପୁଷ୍ଟ,

କେବଳମାତ୍ର ସହଜାତ ଦାବି-

କ୍ଷୁଧାରୁ---କ୍ରନ୍ଦନ,

ଅମୃତସ୍ରାବିଣୀ ଶ୍ୱେତ-ଗଙ୍ଗାଧାର

ମାତୃତ୍ୱର ସ୍ତନ,

ପାନ ଓ ଶୟନେ

ପରିପୁଷ୍ଟ ନିରୀହ ଜୀବନ


ଦୂର୍ବାର ଆକାଂକ୍ଷା ଗୁଡ଼ିକର

ପୃଷ୍ଠରେ ସବାର ହୋଇ,

ଗୋଟିଏ ଲମ୍ଫରେ

ରହସ୍ୟମୟୀ ପୃଥିବୀର ପଣତାବୃତ

ନବ ନବ ଉନ୍ମେଷକୁ

ଆବିଷ୍କାର କରିନେବାର' ଓ

ନବ ବିକଶିତ ପକ୍ଷରେ

ଏକ ଖଣ୍ଡିଉଡା ଦେଇ-

ଇୟତ୍ତାହୀନ ମହାଶୂନ୍ୟ ଅଙ୍ଗନରୁ

ଜହ୍ନ'କୁ ତୋଳି ଆଣିବାର

କୁତୁହଳି-ଅପରିଣାମଦର୍ଶୀ

ଚପଳ କୈଶୋର

ଉପରାନ୍ତେ-


ବିକଚିତ ପୁଷ୍ପ ରାଗେ

ଦେଇ ଇସ୍ତାହାର,

ଆଖିର ଦ୍ୟୁତିରେ ମାଳ ମାଳ

ଇନ୍ଦ୍ରନୀଳ ସ୍ୱପ୍ନ ରାଜି,

ଧମନୀ ଶୋଣିତେ

ଉଦ୍ଦଣ୍ଡ-ଅଶ୍ୱ ଉଦ୍ଧାମତା,

ବଳ-ବୀର୍ଯ୍ୟେ ଉର୍ଜ୍ଜସ୍ୱଳ

ଲଙ୍ଘିବାରେ ସପ୍ତ ପାରାବାର

ଦୁର୍ଗମ-ବନ ଗିରି-କାନ୍ତାର

ରୁଦ୍ଧଶ୍ୱାସେ--ଆଖିର ପଲକେ,


ବାଳାରୁଣ ନବବିଭା କାନ୍ତି

ପ୍ରଣୟର-ଯଜ୍ଞ ପ୍ରଜ୍ୱଳିତ

ହୋମାଗ୍ନି'ର କୋମଳ ଉଷ୍ମତାରେ

ଉଚ୍ଚାଟିତ ମନ,

ବାସନ୍ତୀ ଯୌବନ,

ଜୀବନ ବୃକ୍ଷେ-

ବିକଚେ ପ୍ରସୂନ,

ବେପଥୁ ଆସଇ

ମୃଦୁ ଶିହରଣ,

ନେପଥ୍ୟୁ-ଗୁଞେ

ପୀରତିର ମଧୂପ ଗୁଞନ,

ଅତନ୍ଦ୍ର ଶଯ୍ୟାଧାରେ

ରାତିର କୃଷ୍ଣ କବରୀରୁ

ଝରିପଡେ ସହସ୍ର ରଜନୀଗନ୍ଧାର

ଛିହ୍ନ ପାଖୁଡ଼ା,

ଆଉ ଶୁଭେ କା'ର

ଛମ୍---ଛମ୍-------ଛମ୍

ନୂପୁର ନିକ୍ୱଣ,


ଏଇ କି ସେ-

ଜୀବନ-ମଧ୍ୟାହ୍ନ

ହୃଦୟ ଓ ମନ

ପରାର୍ଥେ ଗମନ

ହୋଇ ଅସ୍ମିତା ବିସ୍ମୃତ

ଆଉ ଅହଂ ସ୍ଥିତି ହୀନ,

ଦୂରେ ଧାଏଁ କାହିଁ

ଅପରେ ହେବାକୁ ଲୀନ,

ମୌସୁମୀ ଆଗତେ

ବାରିଦ ଯେସନ,

ଦୂର ଦିଗନ୍ତକୁ

କରନ୍ତି ଗମନ,

କିବା ଲାଭ ଆଶେ

ହୋଇଣ ମଗନ,

ପୁଛଇ ତାକୁ ମୁଁ

ହେ ଘନ

ତୁମ ହୃଦେ ଅଛି

କେଉଁ ଅନ୍ୱେଷଣ,

ନା ଅପ୍ରଶମିତ ଇଚ୍ଛାର

ଯାତନା ଦାରୁଣ,

ବା କୁଢ଼ କୁଢ଼ ସ୍ୱପ୍ନ ଆଉ ସ୍ୱପ୍ନ

ହୋଇ କ୍ଷୁଧା-ତୃଷା ହୀନ

ଅବଦମିତ ଜଠର ଦହନ

କରି ହେୟଜ୍ଞାନ

କେବଳ ଅଭିଯାନ-

ଆଉ ଅଭିଯାନ

ନିବେଶି କେଉଁଠି

ନିଜ ପ୍ରାଣ-ମନ


ରେ ମାନବ

    ଏଇ ତ ଯୌବନ

ଆଉ ଜୀବନ,

ପ୍ରେମ ପାଇଁ

     ଏ ମହା ପ୍ରୟାଣ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy