ଜୀବନ ଯାତନା'ର ଯୂଇ
ଜୀବନ ଯାତନା'ର ଯୂଇ
ଇଚ୍ଛା'ହୀନ ଜାତ ପୁଣି
ଅନିଚ୍ଛା ମରଣ,
ଧରାଧାମେ ଜୀବ କୁଳେ
ବିଧିର ବିଧାନ......(୧)
ରୁଧିର, ମାଉଁସେ ଗଢା
ପାର୍ଥିବ ଶରୀର,
ଇନ୍ଦ୍ରୀୟ କାରଣେ ଭୋଗେ
ସୁଖ-ଦୁଃଖ ନର.......(୨)
ସଖା, ସହୋଦର, ପତ୍ନୀ
ପୁତ୍ର ଆଦି କରି,
ଜୀବନର ବୋଝ ତୋଳୁ-
ଥା'ନ୍ତି ଆଣ୍ଟ କରି.........(3)
ଆହରିବା ପଣେ ଦିବା-
ନିଶି ମରୁଥାଇ,
ଫେନନିଭ-ତୁଳିତଳ୍ପ
ଶଯ୍ୟାରେ ଶୁଅଇ........(୪)
ଭାବୁଥାଏ ସାଉଁଟିଲି
ସୁଖ ଏ ପରମ,
ଏ ଜୀବନୁ ରୋଗ,ଶୋକ
ହେଲା ଉପଶମ..........(୫)
କିଞ୍ଚିତ ଆଘାତ ପାଇ
ହୋଇଯାଏ ଚୁରି,
ଦି'ଖଣ୍ଡ ପଞରା କାଠି
ମାଟିର ଖପୁରି..........(୬)
ଵିଳସଇ ନବ'ବଧୂ
ଫୁଲର ବାସର
ଅବହେଳେ ବିସ୍ମରିଣ
ଦୁଃଖ ପ୍ରଭାତର.........(୭)
ପହିଲି ଚୁମ୍ବନ ଆଉ-
ପ୍ରୀତି ଆଲିଙ୍ଗନେ,
ବିହ୍ୱଳିତା ମନ,ପ୍ରାଣ
ସୂନେଲି ସପନେ.........(୮)
ଲିଭିବା ଆଗରୁ ପାଦୁ
ଅଳତାର ଗାର,
ତନ୍ଧ୍ରାଚ୍ଛନ୍ନ ନୟନରୁ
ସପନ ସମ୍ଭାର..........(୯)
ମଦାଳସା ବିଭାବରୀ
ପାହିବା ଆଗରୁ,
କୁଆଁରୀ ସକାଳ ହସ-
ହସିବା ପୂର୍ବରୁ.......(୧୦)
ରୁଦ୍ଧ କୋଠରୀ କବାଟେ
କରି ପଦାଘାତ,
କୋଠର କରମ ଆସି
ହୁଏ ଉପନୀତ........(୧୧)
ଯାତନା ଯୂଇରେ ସୁଖ
କ୍ଷଣିକ ଆବେଶ,
ନିମିଷ ମାତ୍ରକେ ପୋଡ଼ି-
ହୁଅଇ ପାଉଁଶ.........(୧୨)
ଯତନେ ସାଇତା ସୁଖ
ଯେତେକ ଦରବ,
ଦୁଃଖ ଆସି କ୍ଷଣିକରେ
ନାଶଇ ସରବ.......(୧୩)
ଯମ'ଯାତନାର ଦୁଃଖ
ଜୀବନ ଅଟଇ,
ବାରିଧି ସମ ଯନ୍ତ୍ରଣା
ସୁଖ ଟୋପେ ହୋଇ.......(୧୪)
ଯେତେ ଆବରିଣ ଯେତେ
ସଞ୍ଚି ଖାଇ,ପିଇ,
ଦୁଃଖ ପରିମିତ ସୁଖ
କଦାପି ନ'ହୋଇ......(୧୫)
ଏକମାତ୍ର ପ୍ରେମ'ବଳ
ଭରସା ମାତର,
ଯାତନା ଯୂଇ ଦହନୁ
ତ୍ରାହି ପାଇବାର.......(୧୬)