ଯୁଗାନ୍ଧକାର
ଯୁଗାନ୍ଧକାର
ଯୁଗମଶାଣିର ବୁକୁପରେ
କାଳରାତ୍ରି ପଣତର ଛାୟା,
ସ୍ତୁପ ସ୍ତୁପ ଇତଃସ୍ଥତ
ଧର୍ଷିତାର ଅର୍ଦ୍ଧଦଗ୍ଧ ଶବ,
ଦୂରେ କାହିଁ....
ଅନ୍ଧାର-ଜଠରେ
"ରଜନୀ" ରାଣୀର
ଧର୍ଷିତା-ଭୂଲୁଣ୍ଠିତା
ଅବଶ-ଉଲଗ୍ନା
ଉତ୍ତାନଶାୟିନୀ
ବିକ୍ଷିପ୍ତା-କେଶା
କ୍ଷତାକ୍ତ ଅବୟବ,..
ବିବାକ୍ ଝଙ୍କୃତ ପବନରେ
ଭାସିଆସେ ସୁରା ଓ ସିଗାରେଟ୍ର
ଉତ୍କଟ ଗନ୍ଧ.......
ଅପ୍ରାପ୍ତ ଯୌବନା
କିଶୋରୀ ବାଳିକାର
କ୍ଷତ-ବିକ୍ଷତା
ଅଙ୍ଗସୌଷ୍ଟବରୁ
ଟେଳା-ଟେଳା ରକ୍ତକୁ
ମୁଠାଇଧରି,
ଉତ୍ଫୁଲ୍ଲିତ ବାହୁଯୁଗଳକୁ
ଉର୍ଦ୍ଧ୍ବେ ତୋଳି,
ଷ୍ଫୀତ-ବକ୍ଷେ କରମାରି,
ଧର୍ଷିତା-ଶବପରେ
ଦର୍ପିତ-ପଦ ଥାପି,
ଗଡ଼ଜୀଣା ବିଜୟ-ଦମ୍ଭେ
ମଦମତ୍ତ ହୋଇ
ଆଦିମ-ଉଦ୍ଦଣ୍ଡ ନୃତ୍ୟ କରେ
"ଧୃର୍ଷ୍ଣୁ"
ରକ୍ତ-ପିଶାଚ.....
ସଲଜ୍ଜ-ସଂକୁଚିତା
କୁଆଁରୀ-ରାଇଜର
ପ୍ରବାଳ-ଦୁର୍ଗ ପାଚେରୀ
ଧ୍ୱସ୍ତ କରିବା ପୌରୁଷତ୍ୱର
ପୈଶାଚିକ ଆନନ୍ଦରେ
କିଳି-କିଳା ନାଦେ
ପ୍ରକମ୍ପିତ କରେ
ରାତ୍ରିର ନିସ୍ତବ୍ଧ-ଆକାଶ,,
ଥରିଉଠେ କୋମଳ-କଳିକା
ଆଉ...
ତମାମ ଉପବନର
ଅନୁର୍ବର ମାଟିର ପଞର
ପାଦଘାତେ ଚୁନାହୁଏ
ଅପରିପକ୍ୱ ଅସ୍ଥି-ମଜ୍ଜା........
କେତେ ନଖାଘାତ-
କେତେ ବିଷଦାନ୍ତ ଚୋଟର କ୍ଷତଚିହ୍ନ
ବିଲୀନ ହୋଇଛି ନୀରବରେ
ଏଇ ଯୁଗାନ୍ଧକାର ବୁକୁରେ...!
କିଏବା କହିବ ତାର ହିସାବ...?
କହିଲେ କହିପାରେ
ଯୁଗ-ପ୍ରପୀଡିତା
ଯୁଗାନ୍ତର-ଧର୍ଷିତା
ଏଇ "ରଜନୀ"...
ଅରଣ୍ୟରୋଦନ ତାର
ବୁକୁ ବିଦାରକ ଆର୍ତ୍ତଚିତ୍କାର,
ଅବଲୂପ୍ତ ପ୍ରତିବାଦର ସ୍ୱର କ୍ରମଶଃ..
କେବଳ-
ପେଚକର କର୍କଶ-ରାବର ବିକାର
ତା ଯୁଗ-ଆର୍ତ୍ତନାଦ,
ନିସ୍ତବ୍ଧ ରାତ୍ରିରେ କଦବା
କମ୍ପିତ ବୁକୁର ଦୀର୍ଘଶ୍ୱାସ
ପବନ ଝଙ୍କାରେ....
ସିଗାରେଟ୍ର ନିଆଁଝୁଲ
ଜାଳେ ଶତ ଯୂଇ
ଷ୍ଫୁଲିଂଗଟିଏ ହୋଇ.......
ସହସ୍ରଯୋନିର ବିଷାକ୍ତ ଶୁକ୍ରାଣୁରେ
"କଳୁଷିତା"
ହେ ରଜନୀ ତୁମେ-
ଯୁଗଧର୍ଷିତା ଅହଲ୍ୟା,
କେବଳ ପଦରଜ-
କୋଟିଯୁଗ ମନୋବାଞ୍ଛା...।