ମା'ଟିର ନୀଡ଼
ମା'ଟିର ନୀଡ଼
ପରମାଣୁ ଦଗ୍ଧ ମାଟିର ପଞରୁ,
ପ୍ରଳୟ ବାରିଧି ଅତଳ ତଳରୁ ।।
କେତେ ଝଡ଼-ଝଞା କେତେ ଅବପାତ,
ସହିଅଛି ସବୁ କରି ମଥା ନତ ।।
ଦୂବ ମୁହିଁ ମରି ନାହିଁ,
ମହାଦ୍ରୁମେ ଯହିଁ ବରିଲେ ନିର୍ବାଣ-
ଜୀଇଁଛି ମୁଁ ନଇଁ ନଇଁ......(୧)
ରଣାଙ୍ଗନେ ବୀର ଦୃପ୍ତପଦ ପାତେ,
ପଶୁଙ୍କ ଚାରଣ ଅବା ଖୁର'ଘାତେ ।।
ଗ୍ରୀଷମ ଆତପେ ଜଳିଛି ତୁରିତେ,
ଶୁଷ୍କ ତୃଣ ହୋଇ ଅଗ୍ନିର ସଙ୍ଘାତେ ।।
ଦହିତ ପାଉଁଶ ତଳୁ,
ସ୍ୱଚ୍ଛନ୍ଦେ ଗାଇଛି ଜୀବନର ଗୀତି-
ଆଜିଯାଏ ଆଦି କାଳୁ......(୨)
ତୁଷ୍ଟି ସାଧିଅଛି ଦେବତାଙ୍କ ଶିରେ,
ଯଦ୍ୟପି ମର୍ଦ୍ଦିତ ହୋଇଛି ପୟରେ ।।
କରି ହେୟଜ୍ଞାନ ନିଜ ସ୍ୱାଭିମାନ,
ପର ଉପକାରେ ସହିଛି କଷଣ ।।
ନବ ଉଷା'ଛବି ହେଜି,
ଇଚ୍ଛାଶକ୍ତି ବଳେ ଲୋଟି ପାଦତଳେ-
ତଥାପି ଯାଇନି ଭାଜି......(୩)
ଅହଂ ସ୍ୱାଭିମାନେ ନାଶ ଦୂର୍ଯ୍ୟୋଧନ,
ଲଙ୍କେ ଲଙ୍କପତି ଲଭିଲା ମରଣ ।।
ନତଶିରେ ସୁଗ୍ରୀ କିସ୍କିନ୍ଦା ରାଜନ,
ନତଶିରେ ରାଜା ହେଲା ବିଭୀଷଣ ।।
ନତ ଜିଣଇ ଜଗତ,
ଶିରୋନ୍ନତେ ଘାତ ବିଧିର ବିଧାନ-
ସୃଷ୍ଟି କରେ ସନ୍ତୁଳିତ......(୪)
ସଦା ଭୀତ ସେହି ପଡ଼ିବାକୁ ତଳେ,
ଉର୍ଦ୍ଧ୍ବେ ରହି ଯେହୁ ତଳ'କଥା ଭାଳେ ।।
ସଦା ମନେ ଦିଏ ଦାରୁଣ ଯାତନା,
ତଳେ'ଥାଇ ଉର୍ଦ୍ଧ୍ବେ କରେ ଯେ କାମନା ।।
ପ୍ରଶାନ୍ତି ଏ ଧରା ତଳେ,
ନଭଶ୍ଚୁମ୍ବୀ ଆଶା କ୍ଷଣିକେ ଲଭଇ-
ସମାଧି ମାଟିର କୋଳେ......(୫)
ଆନତଗାମିନୀ ଶିଖରୁ ତଟିନୀ,
ଲଭେ ଲକ୍ଷ୍ୟସ୍ଥଳ ବାଧା ଅତିକ୍ରମି ।।
ଉର୍ଦ୍ଧ୍ବେ ନିକ୍ଷେପିତ ଢେଲା ତଳେ ଆସି,
ମାଟିର ପଣତ ଚୁମି ହୁଏ ଖୁସି ।।
ତଳେ ମମତାର ନୀଡ଼,
ମାଟିପରେ ପାଦ ନଥାପି କିଏସେ-
କେବେ କି ହୋଇଛି ବଡ଼......(୬)