STORYMIRROR

Kananbala Das

Fantasy

4  

Kananbala Das

Fantasy

ମୌସୁମୀ ତୁମେ

ମୌସୁମୀ ତୁମେ

1 min
353


ମୌସୁମୀଗୋ ତୁମେ ଆସିଛ ଧରାକୁ

          ମେଘସମ୍ଭାର କୁ ନେଇ,

ଭିଜାମାଟି ବାସ୍ନା ମହକି ଯାଉଛି

        ପ୍ରକୃତି ବିଭୋର ହୋଇ ।


ଆଗୋ ମଉସୁମୀ ଆସ ଝୁମି ଝୁମି

         ମେଘବାଦଲ କୁ ଛୁଇଁ,

ଝରାଅ ପୀୟୂଷ  ପ୍ରୀତି ବାରିଧାରା

        ତନୁମନ ଶିହରାଇ ।


ବାଦଲକୁ ଦେଖି ନାଚେ ଯେ ମୟୂରୀ

        ଆନନ୍ଦେ ମଗନ ଧରା,

ଆଦ୍ୟ ଆଷାଢ଼ର ପହିଲି ବରଷା

       ମୌସୁମୀର ପ୍ରୀତିଧାରା ।


କାକ କୃଷ୍ଣ ତୁମ କବରୀରୁ ଝରେ

         ବର୍ଷାଭିଜା ଜଳବିନ୍ଦୁ,

ନୀଳ ସରସୀଟି ପୁର୍ଣ୍ଣଗର୍ଭା ହୁଏ

        ଜୁଆରିତ ହୁଏ ସିନ୍ଧୁ ।


ନବ ପଲ୍ଲବିନୀ ହୁଏ ଧରାରାଣୀ

       ତୁମରି ପରଶ ପାଇ,

ସବୁଜିମା ଭରେ ପ୍ରକୃତି ଶୋଭାରେ

       ମେଘ ମହ୍ଲାରକୁ ଛୁଇଁ ।


ଦଗ୍ଧ ପୃଥିବୀରେ ଆଷାଢୀ କନ୍ୟାଗୋ

           ଶିତଳତା ଭରିଦିଅ,

ସନ୍ତାପିତ ପ୍ରାଣେ ଆଶ୍ୱାସନା ଦେଇ

         ପ୍ରୀତି ପରିଭାଷା କୁହ।


ରିମ୍ ଝିମ୍ ତାନେ ମୁର୍ଚ୍ଛନା ତୋଳିଛ

        ଟପ୍ ଟାପ୍ ଶବ୍ଦ ଝରେ,

ତନ୍ମୟ, ବିହ୍ଵଳ  ହୋଇ ଗାଉଥାଅ

        ସଙ୍ଗୀତର ସାତସୁରେ।


ମେଘ ରାଇଜର ରାଜକନ୍ୟା ଆସ

       ବାଦଲର ସବାରୀରେ,

ବେଳକାଳ ଜାଣି ଧୀର ପଦପାତେ 

       ଓହ୍ଲାଅ ଧରା ଉପରେ ।


ପ୍ରକୃତିର ଶୋଭା ବର୍ଣ୍ଣବିଭା ଆଭା

          ହୁଏ ବିମୁଗ୍ଧ ଚକିତ

ମେଘ ମାଟି ମିଶେ ମିଳନେ ସ୍ପନ୍ଦନ

         ଧରା ହୁଏ ପୁଲକିତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy