ମାଆ
ମାଆ
ମାଆଟି ସତେ କେଡେ ନିଜର
ମମତାର ସେ ଖଣି,
ତା ପାଶେ ଥିଲେ ନଥାଏ ଦୁଃଖ
ସୁଖର ସିଏ ମୁଣି ।
ମୁହଁକୁ ଦେଖି ଜାଣିପାରେ ସେ
ମନ ଭିତର କଥା,
ନ କହିଲେବି ବୁଝି ପାରଇ
ପେଟପିଠିର ବ୍ୟଥା ।
ପାଖରେ ବସି ପିଠି ଆଉଁସି
ଖୁଆଇ ଦିଏ ସେହି,
ଅଝଟ ହେଲେ ବୁଝାଇ ଦିଏ
ଜହ୍ନ ଦେଖାଇ ଦେଇ ।
ନିଦ ନହେଲେ ପିଠି ଥାପୁଡି
ଗାଇଗାଇ ସେ ଗୀତ,
ଶୁଆଇ ଦିଏ କୋଳରେ ତାର
ତା ପରି ନାହିଁ ମିତ ।
ପାଠପଢ଼ା ସେ ବୁଝୁ ନବୁଝୁ
ପଢ଼ିବାପାଇଁ କହେ,
ବହିପତର,ଖାତା କଲମ ନିତି
ସଜାଡି ଦିଏ ।
ସଞ୍ଜ ନଇଁଲେ ଚଉରା ମୂଳେ
ସଞ୍ଜ ବତୀକୁ ଜାଳି,
ପିଲାଙ୍କ ଶୁଭ ମନାସୁ ଥାଏ
ମୁଣ୍ଡିଆ ନିତି ମାରି ।
ଝାଳଦେହକୁ ପୋଛିଦିଏତା
ପଣତ କାନିଧରି,
ସାରା ସଂସାରେ କହିଲ କିଏ
ହୋଇବ ମାଆ ପରି ।
ବାହାରେ ଯଦି ପିଲା ତା ଯାଏ
ଏରୁଣ୍ଡି ପାଖେ ରହି,
କେତେ ଦିଅଁଙ୍କୁ ମୁଣ୍ଡିଆମାରି
ଶୁଭ ମନାସୁ ଥାଇ ।
ପିଲା ଖାଇଲେ ତା ପେଟ ପୁରେ
ପିଲା ଖୁସିରେ ଖୁସି,
କହିଲ କିଏ ଏମିତି ଅଛି ପେଟରୁ
ଦିଏ କାଟି ।
ରୋଗରେ କେବେ ପଡିଲେ ସିଏ
ପାଖରେ ଥାଏ ବସି,
ପଚାରୁଥାଏ କେମିତି ଅଛୁ
ଦେହମୁଣ୍ଡ ଆଉଁସି ।
ଦୂରେଥାଉକି ପାଖରେ ଥାଉ
ପିଲାଙ୍କ ସୁଖ ଚାହେଁ,
ପିଲାଙ୍କ ପାଇଁ ଅନ୍ତରୁ ତାର
ଆଶିଷ ଝରୁ ଥାଏ ।
ମାଆ ଭଳିଆ ମନର କଥା
ବୁଝିବ କିଏ କହ,
ସାରା ସଂସାରେ ମାଆ ସମାନ
ଜଣେ ତ କେହି ନୁହଁ ।
ପ୍ରତିଦାନ ସେ ଚାହେଁନି କିଛି
କରେନି କିଛି ଆଶା,
ପିଲାଏ ତାର ରୁହନ୍ତୁ ସୁଖେ
ଏଇ ତା ମନକଥା ।
ଦୁଃଖସୁଖର ଭଲମନ୍ଦର
ସାଥୀଟି ଏକା ସିଏ,
ଇଚ୍ଛାମୋ ହୁଏ ତାପାଦ ତଳେ
ଟିକିଏ ଲୋଟି ଯାଏ ।