ହେବା ଆମେ ସୁନା ପିଲା
ହେବା ଆମେ ସୁନା ପିଲା
ଆସ ପିଲାମାନେ ଟିକି କଳିକା
ଖେଳି ବୁଲି ଗାଇ ଭଳି ଭଳିକା
ହେବା ଆମେ ସୁନା ପିଲା
ବହି ସଙ୍ଗେ ଯୋଡ଼ି ବନ୍ଧୁତ୍ୱ ପ୍ରେମ
ଲାଗିପଡ଼ି ଆସ କରିବା କର୍ମ
ଆଳସ୍ୟେ ପକାଇ ତାଲା ll
ଗୁରୁଜନଙ୍କର ଆଶିଷ ନେବା
ଦୁଃସ୍ଥ ଜନତାର ସେଵା କରିବା
କର୍ତ୍ତବ୍ୟକୁ କରି ବନ୍ଧୁ
ଆସିଲେ ଜୀବନେ ବିପଦ ଝଡ଼
ଠାକୁରଙ୍କୁ ଡାକି ଜିଣିବା ଗଡ଼
ଲଙ୍ଘି ଯିବା ସାତ ସିନ୍ଧୁ ll
ପିତା ମାତା ଗୁରୁ ଶ୍ରେଷ୍ଠ ଶବଦ
ବିଦ୍ୟା ଆମ ପାଇଁ ଶ୍ରେଷ୍ଠ ସମ୍ପଦ
ନକରିବା ଆମେ ହେଳା
ମନ ଧ୍ୟାନ ଦେଇ କରିବା ଯତ୍ନ
ମର୍ତ୍ତ୍ୟେ ସରଜିବା ଅମୂଲ୍ୟ ରତ୍ନ
ନହେଲେ ବୁଡିବ ଭେଳା ll
ନିଷ୍ଠା ଭକ୍ତି ପ୍ରେମ ବଳେ ଆମର
ସାହା ହେବେ ପ୍ରଭୁ ପରମେଶ୍ୱର
ସଂସାରେ ହୋଇବା ସାର
ମନେ ନରଖିବା ପାପ ଭାବନା
ଉଡାଇବା ଆମେ ବିଜୟ ବାନା
ହେବା ମର୍ତ୍ତ୍ୟେ ଆଗୁସାର ll
