ମାଆ ମାଟି ସେବା ହେଉ ଜୀବନର ବ୍ରତ
ମାଆ ମାଟି ସେବା ହେଉ ଜୀବନର ବ୍ରତ
ଅତୀବ ଗୌରବ ମୟୀ ମାଆ ମାଟି ବେନି
ଆହା କି ଆନନ୍ଦ ଲାଗେ ତାଙ୍କ ସେବା କରି ।
ଆବଶ୍ୟକ ଦ୍ରବ୍ୟ ସର୍ବ ଥାନ୍ତି ଯେ ଯୋଗାଇ
କେବେ ବି ନ ସରେ ମାଆ ମାଟି ଗୁଣ ଗାଇ ।
ଉତ୍ପାଦିତ କରେ ନାନା ପ୍ରକାର ଫସଲ
ଉପୁଯାଏ ହସ ଖୁସି ଉଲ୍ଲାସ ନିର୍ଝର ।
ଉପକୃତ ହୋଇ ଥାନ୍ତି ଯାହା ପାଇଁ ପ୍ରାଣୀ
ବିପୁଳ ଭାବ , ବିଭବ , ଶକତି ସହଣୀ ।
ଧରି ଉଭା ହୋଇ ଯିଏ ପାଳନ୍ତି ସଭିଙ୍କୁ
ଅନୁପମ ଦିବ୍ୟ ଦୀପ୍ତି ଢାଳି ସନ୍ତାନ ଙ୍କୁ ।
ଅଶେଷ ସେନେହ ପ୍ରୀତି ବାତ୍ସଲ୍ୟ ମମତା
ସହିତ ପାଳନ୍ତି ଧରି ଯେ ସାହସିକତା ।
ସ୍ନେହ ମୟୀ ଜନନୀ ସେ ବେନି ମାଆ ମାଟି
ତାଙ୍କ ସେବା ପାଇଁ ହେବା ଜୀବନ ରେ ବ୍ରତୀ ।
ଭୁଞ୍ଜାନ୍ତି ସଭିଙ୍କୁ ଯିଏ ସ୍ନେହ ଶ୍ରଦ୍ଧା ଧରି
ସନ୍ତାନ ହିତ ରେ ସବୁ ଦିଅନ୍ତି ଅଜାଡ଼ି ।
ପ୍ରତ୍ୟେକ ଙ୍କ ପାଇଁ କରି ଥାନ୍ତି ସୁବ୍ୟବସ୍ଥା
ତାଙ୍କ ସେବା ପାଇଁ ସର୍ବେ ରଖ ଏଣୁ ଆସ୍ଥା ।
ଖାଦ୍ୟ , ଜଳ ଠାରୁ ଜୀବନ ରେ ଯେତେ ଯାହା
ମାଆ ମାଟି ଯୋଗାନ୍ତି ସେ ପ୍ରତ୍ୟେକ ଙ୍କୁ ତାହା ।
ପ୍ରତି କ୍ଷଣ ପ୍ରତି ପଦକ୍ଷେପେ ଶୁଦ୍ଧ ବାୟୁ
ଯୋଗାଇ ବଢ଼ାଇ ଥାନ୍ତି ଜୀବ ଙ୍କର ଆୟୁ ।
ଜୀବନ ଧାରଣ ପାଇଁ ଯାହା ଯାହା ଲୋଡା
ମାଆ ଆଉ ମାଟି ଠାରୁ ପାଉ ଥାନ୍ତି ତାହା ।
ସ୍ନେହ ଶ୍ରଦ୍ଧା ସ୍ବପ୍ନ ସମ୍ଭାବନା ପୂର୍ଣ୍ଣ କରେ
ଜୀବନ ହୁଅଇ ଧନ୍ୟ ତାହାଙ୍କ ସେବାରେ ।
ଅବହେଳା ତେଜି କରି ତାହାଙ୍କ ର ସେବା
ଆନନ୍ଦ ଆହ୍ଵାନ ପ୍ରତି ପ୍ରାଣେ ଭରି ଦେବା ।
କୃଷି କାର୍ଯ୍ୟ ଆଉ ବନୀକରଣ ରେ ରତ
ରହିବା ସତତ ହସି ଉଠିବ ମରତ ।
କୁତ୍ରିମତା ତେଜି ପ୍ରାକୃତିକ ଉପାୟରେ
ପ୍ରାକୃତିକ ଶୋଭା ସୌନ୍ଦର୍ଯ୍ୟ ର ବର୍ଦ୍ଧନ ରେ ।
ରତ ହେଲେ କେବେ କିଛି ନ ହେବ ଅଭାବ
ପ୍ରତି ପ୍ରାଣେ ଉପୁଜିବ ପ୍ରୀତି ଓ ସଦ୍ଭାବ ।
