ମାଆ ହୁଏ ଯେବେ ଶାଶୁମା
ମାଆ ହୁଏ ଯେବେ ଶାଶୁମା
ଆମ ଗାଁ ଝାମ୍ପୁରି କହେ ପାଟି ଚିରି
ଘର କଥା ଯାଇ ପଦାରେ
ଘର ମୋର ଆଉ ଘର ହେଇ ନାହିଁ
ହେଇଗଲା ସର୍ବନାଶ ରେ ।
ପୁଅଟା ମୋହର ମଣିଷ ହେଲାନି
ନାଚୁଚି ମାଇପ କଥାରେ
ନିଜ ଘର ଛାଡ଼ି ଭଡ଼ା ଘର ନେଇ
ରହୁଛି ଭୁବନେଶ୍ୱରରେ ।
ନିଜ ବୋପା ମାଆ ମଲେକି ବଞ୍ଚିଲେ
ସେକଥା କି ସିଏ ବୁଝୁଚି
ମାସକ ଜାକର ଦରମା ଟଙ୍କାଟା
ଶଶୁର ହାତରେ ଦଉଚି ।
ନିଜ ଭଉଣୀ ଟା ଗଣ୍ଡ ମୂର୍ଖ ହଉ
ତାଆର କଅଣ ଜାଉଚି
ଶାଳୀ ଯିବ ବୋଲି ମହାବିଦ୍ୟାଳୟ
ସ୍କୁଟି ଖଣ୍ଡେ କିଣି ଦେଇଚି ।
ଛାଡ଼ଲ ସେ କଥା ଯିଏ ଯାହା କରୁ
ମଅର କିଅଣ ଯାଉଚି
<p>ମୋ ଝିଅ ସୁକୁଟି ପାଠପଢ଼ା ଖର୍ଚ୍ଚ
ବଡ଼ ଜ୍ୱାଇଁ ସବୁ ବୁଝୁଚି
ଜ୍ୱାଇଁଟା ମଅର ଭାରି ବଡ଼ଲୋକ
ଗମେଣ୍ଟେ ଚାକିରୀ କରିଚି
ମାସିକ ଦରମା ଟଙ୍କାଠୁ ଅଧିକା
ଉପୁରି ତାଆର ହଉଚି ।
ଝିଅକୁ ମଅର ସପ୍ତାହକୁ ଥରେ
ସପିଙ୍ଗି ମହଲ ନଉଚି
ବରଷକୁ ଥରେ ଜ୍ୱାଇଁ କାଆରରେ
ତୀରିଥ ମୁଁ ବୋଲି ଆଉଚି ।
ପୁଅ ହେଲେ ହଉ ମାଇପ ବୁଦ୍ଧିଆ
ମୋ ଝିଅ ମୋ କଥା ବୁଝୁଚି
ଜ୍ୱାଇଁ ପଇସାରେ ଭାରି ଆନନ୍ଦରେ
ଘର ମୋର ଚଳିଯାଉଛି ।
ଝାମ୍ପୁରି କାହାଣୀ ସରିଗଲା କ୍ଷଣି
କହିଲା ଆମ ଗାଁ ପରମା
ଅଧିକାଂଶ ମାଆ ଏମିତି କୁହନ୍ତି
ହେଇଗଲା ପରେ ଶାଶୁମା ।