ମା
ମା
ମା' ହେଉଛି କରୁଣାର ଦେବୀ
ମା ପାଖରେ ଥାଏ ଅମାପ ଶକ୍ତି ,
ଯେଉଁ ଶକ୍ତି ବଳରେ
କଠିନ ରୁ କଠିନ କାର୍ଯ୍ୟ ସେ କରି ପାରେ ।
ନିଜେ ଉପାସରେ ଶୋଇ
ସେ ସନ୍ତାନ ର ପେଟ ଭର୍ତି କରେ।
ଉପାସ ରହି ବାର ମାସରେ ତେର ବ୍ରତ କରି
ସନ୍ତାନ ର ସୁଖ ମନାସିଥାଏ ।
କଞ୍ଚା ମାଟି ପିଣ୍ଡୁଳାରେ ଜୀବନ୍ୟାସ ଦେଇ ସେ ଗଢେ
ତାର ନୟନ ପିତୁଳାକୁ ।
ନିଜର ସ୍ୱପ୍ନ ସବୁକୁ ତୀଳାଞ୍ଜଳି ଦେଇ ସେ ସନ୍ତାନ ର ସ୍ୱପ୍ନକୁ ପୁରା କରିବା ପାଇଁ ଲାଗି ପଡେ ନିଜର ପାରୁ ପର୍ଯ୍ୟନ୍ତ।
ଯେତେ ଅଭାବରେ ରହିଥିଲେ ବି ତା' ଓଠରେ ଶୋଭା
ପାଉଥାଏ ହସଧାରେ ।
ପିଲାର ଫେରିବା ବାଟକୁ ଚାହିଁ ରହିଥାଏ ଅପଲକ ନେତ୍ରରେ ।
ପିଲାର ଖୁସିରେ ଖୁସି ପ୍ରକଟ କରେ ।
ମାଆ ର ଆଠଟି ମିଛ ସହିତ ଆମେ ସଭିଏଁ ଜ୍ଞାତ ।
ଦୟା , କ୍ଷମା , କରୁଣାର ସେ ମୂର୍ତ୍ତି ମନ୍ତ ଦେବୀଟିଏ ।
ସନ୍ତାନ ର ମୁହଁକୁ ଦେଖି ସେ ଜାଣିଯାଏ ତାର କଷ୍ଟ ।
ଥରେ ତାର ନାମ ଉଚାରଣ କରିଦେଲେ ଜୀବନର
ସବୁ କଷ୍ଟ ଭୁଲି ହୋଇଯାଏ ।
ସତରେ ଲାଗେ ସେ ହିଁ ଈଶ୍ୱରୀ ।
ଦଶ ମାସ ଦଶ ଦିନ ଗର୍ଭ ରେ ଧାରଣ କରି ସେ କେତେ
ଗୋଇଠା ଖାଏ ସନ୍ତାନ ଠାରୁ ।
ଭୂମିରେ ପଡିବା କ୍ଷଣି ସେହି ସନ୍ତାନ ର ମୁହଁକୁ ଟିକେ
ଦେଖି ଦେଲାପରେ ସବୁ କଷ୍ଟ ତାର ଲାଘବ ହୋଇଯାଏ
ଯାଦୁଇ ମନ୍ତ୍ରପରି ।
ସନ୍ତାନ କୁ ଶିକ୍ଷା ଦିଏ ଆଦ୍ୟ ଗୁରୁ ସାଜି ।
ଏଇଠି କଥା ଟିଏ ମନେ ପକାଉଛି ଅତୀତରୁ "ପଞ୍ଚମ ରେ ପଢୁଥିବା ବେଳେ ନିମୋନିଆ ରେ ଆକ୍ରାନ୍ତ ହେଲି।
ସମସ୍ତେ ଯେତେ ବେଳେ ଆଶା ଛାଡି ଦେଇଥିଲେସେତେବେଳେ
ମୋତେ ପଣତ ଘୋଡେ଼ଇ ଜଗି ରହିଥିଲା ମୋ ବୋଉ "।
ଉଷୁନା ଧାନ ଗଜା ହେଲା ପରି ମୁଁ ଆଖି ଖୋଲି ଚାହିଁଲି ଆଉ
ଦେଖିଲି ମୋ ବୋଉକୁ ।
ସେ ମୋତେ ଦେବୀ ଭଳି ଦିଶୁଥିଲା।
ଆଲୁଳାୟୀତ କେଶ , ଉଦିଆ ସୂର୍ଯ୍ୟଙ୍କ ପରି ଲାଲ୍ ସିନ୍ଦୂର ରେ।
ସବୁ ମାଆ ମାନେ ସନ୍ତାନ ପାଇଁ ଏମିତି ।
ତ୍ୟାଗ ତିତୀକ୍ଷାର ଦେବୀ ସେମାନେ ।
ସେଥିପାଇଁ ବୋଧେ ଭଗବାନଙ୍କ ଲୀଳା ଖେଳାରେ
ପ୍ରଭୁ ଶ୍ରୀକୃଷ୍ଣ ବି ବାନ୍ଧି ହୋଇ ଯାଇଥିଲେ ମାତୃ ପ୍ରେମରେ।
ସେଥିପାଇଁ ପରା କୁହାଯାଏ:-
ମାଆ ଠାରୁ ଆଉ ମିଠା କିଛି ନାହିଁ
ଏହି ମରତ ଭୂବନେ
ମାଆ ସ୍ନେହ ହାତ ଶୀତଳ ଚନ୍ଦନ
ଶାନ୍ତି ଭରିଦିଏ ମନେ ।
ମାଆ ଯେତେ କଷ୍ଟ ହେଲେ ବି ସନ୍ତାନକୁ କେବେ
ଅଭିଶାପ ଦିଏନି ।
ଆଖିଏ ଲୁହକୁ ବୁକୁତଳେ ଚାପି ସେ ହସୁଥାଏ……
ସେଥିପାଇଁ ସ୍ୱତଃ ସ୍ଫୁର୍ତ ମନରୁ ବାହାରି ଆସେ…
ମାଆ ତୁମେ ମମତା ର ସୀମା ହୀନ ସାଗର
ମାଆ ତୁମେ ସନ୍ତାନ ପାଇଁ ସ୍ନେହଶିକ୍ତ ଚଦର
ତୁମ ପଦପାତେ ମାଆ କୋଟି କୋଟି ଯୁହାର……
