ମା ଗଜଲକ୍ଷ୍ମୀ
ମା ଗଜଲକ୍ଷ୍ମୀ


ଶରତ ୠତୁଟି କି ଆନନ୍ଦ ଦେଲା
ସଭିଏଁ ହରଷ ହେଲେ
ମା ଦଶଭୁଜା ବିଜେ ହୋଇ ପୂଜା
ପାଇ ମେଲାଣି ଘେନିଲେ।
କାଶତଣ୍ଡୀ ଫୁଲ ଫୁଟିଛି ସେପରି
ଆସୁଛି ଶେଫାଳି ବାସ
ଆଶ୍ୱିନ ଶେଷର କୁମାର ପୂର୍ଣ୍ଣିମା
କୁମାରୀ ମନରେ ହସ ।
ଆକାଶରେ ଦେଖ ପୂର୍ଣ୍ଣ ଚନ୍ଦ୍ର ଶୋହେ
ଶୋଭନ୍ତି ତାରକାରାଜି
ଖୁସିର ସମ୍ଭାର ଆଣି ଆସିଛନ୍ତି
ମା ଗଜଲକ୍ଷ୍ମୀ ଆଜି ।
କାଞ୍ଚନ ସନ୍ନିଭ ହିମଗିରି ମାଆ
ଚତୁର୍ଦ୍ଦିଗେ ଚତୁର୍ଗଜ
ହିରଣ୍ୟ ଝରୁଛି ହସ୍ତରୁ ତାଙ୍କର
ଅମୃତକଳସେ ସଜ ।
ପଦ୍ମ ଦୁଇ ଅଛି ବେନି କରେ ତାଙ୍କ
ଅଭୟ ବରଦାୟିନୀ
ମସ୍ତକେ ମାଣିକ୍ଯ ମୁକୁଟ କୀରିଟ
ଅରୁଣାଙ୍ଗ ପଦ୍ମାନନୀ।
ଧନ ଧାନ୍ୟେ ଭରି ଦେବେ ଏ ଧରାକୁ
ଗଜଲକ୍ଷ୍ମୀ ମାଆ ମୋର
ମାତା ପଦ୍ମାଳୟା କ୍ଷୀରାବ୍ଧିତନୟା
ବିଜେ ଆଜି ମର୍ତ୍ତ୍ୟପୁର ।
କରୁଣାବରୁଣାଳୟା ମାଆ ମୋର
ଖୁସିର ସମ୍ଭାର ଆଣି
ବିଜେ କରିଛନ୍ତି ମହୀ ମଣ୍ଡଳରେ
ଚାଲିଛି ଦେଖ ରୋଷଣି ।
ମାଆଙ୍କ ପୂଜନ ଆରାଧନା ଆସ
ସଭିଏଁ ଆମେ କରିବା
ମାଆଙ୍କୁ ମନାଇ ନିଉଛାଳି ହୋଇ
ସର୍ବ ଶୁଭ ମନାସିବା ।