ଲୁହ
ଲୁହ
ନୟନ ସମ୍ପଦ ମୁକ୍ତା ବିନ୍ଦୁ ଲୁହ
ଝରିଯାଏ ଅଜାଣତେ
ହୃଦୟ ଦରଦେ ଦୁଃଖସୁଖ ସଙ୍ଗେ
କୋହଉଠେ ଅନୁସ୍ରୋତେ ।
କାହିଁକି କେଜାଣି ଜାଣିତ ହୁଏନି
କିଏ ପର ଆପଣାର
ଦୁଃଖ ଚିତ୍ର ଦେଖି ଲୁହ ଆସେ ଖସି
ଅନୁକମ୍ପା ହୃଦୟର ।
ଦୁଃଖେ ଜର୍ଜରିତ ହୃଦୟ ପରାଣ
ମାନସିକ ଯାତନାରେ
ଲୁହ ସଙ୍ଗେ ଭାବ କରିଚି ନିଶ୍ଚୟ
ନାଁହି କିଛି ବିକଳ୍ପରେ ।
ସଫଳତା ପ୍ରାପ୍ତେ ଆନନ୍ଦାଶ୍ରୁ ଝରେ
ଭାବପୁର୍ଣ୍ଣ ପରିବେଶେ
ଭାବ ବିହ୍ଵଳରେ ମନ ହୃଦୟରେ
ଲୁହ ସଙ୍ଗେ ହସ ମିଶେ ।
ଲୁହ ଝରିବାର ଅନେକ କାରଣ
ସଂସାରେ ସଂସାରୀ ଜାଣେ
ହୃଦୟର ଭାବ ହୁଏ ପ୍ରକଟିତ
ଭାବନାର ଅନୁ କୋଣେ ।
ଅକାଳରେ ଯଦି ଚାଲି ଯାଏ କେହି
ହୃଦୟକୁ ବେଶି ବାଧେ
କରୁଣ ଏଦୃଶ୍ୟ ହୃଦ ବିଦାରକ
ଲୁହ ଝରେ ଅବିଶ୍ରାନ୍ତେ ।
ରୋଗ ଶୋକ ବେଳେ ଦୁଃଖ ସୀମା ବଢ଼େ
ସାହାରା ଖୋଜଇ ଦୁଃଖୀ
ମ୍ରିୟମାଣ ହୋଇ ଭାଗ୍ୟକୁ ନିନ୍ଦଇ
ଆଖି ଲୁହ ରହେ ସାକ୍ଷୀ ।
ନୟନ ଯୁଗଳେ ଲୁହ ଅଛି କେତେ
କହିକି ପାରିବ ବନ୍ଧୁ
ହୃଦୟର କୋହ ଲୁହ ପରିଚୟ
ସୃଷ୍ଟି କରେ ସପ୍ତ ସିନ୍ଧୁ ।
କବି ଭାବନାରେ ଲୁହ ମୁକ୍ତା ସତେ
ଅମୂଲ୍ୟ ସମ୍ପଦ ବିତ୍ତ
ଦୁଃଖେ ଭାଗୀ ହୋଇ ଦିଅହେ ନିଗାଡି
ବନ୍ଧୁ ପରିଜନ ମିତ ।
କୋହ ସମ୍ବରଣ ଲୁହର କାରଣ
ହେଜ ଆହେ ସାଥୀସାଙ୍ଗ
ସମ ଦୁଃଖେ ଦୁଃଖୀ ହୋଇ ରହିବାକି
ଝରିବନି ଲୁହ ଆଗ ।
ସମ୍ପଦ ବିପଦେ ଅବା ଶ୍ମଶାନରେ
ରାଜଦ୍ଵାରେ ହେବା ଭେଟ
ଲୁହକୁ ପାଥେୟ କରି ବଞ୍ଚିବାନି
ପ୍ରବୋଧନା ହେବ ଶ୍ରେଷ୍ଠ ।