STORYMIRROR

Kishore Nayak

Tragedy

4  

Kishore Nayak

Tragedy

"ଲୁହ "

"ଲୁହ "

1 min
69

ଜୀବନର ଦୁଃଖ ଅସହ୍ୟ ହୋଇଲେ 

              ପ୍ରଶମିତ କରେ ଲୁହ 

ନିର୍ଜନେ ଏକାକୀ ନୀରବତା ଢାଙ୍କି 

          ମନେ ଆସେ ଯେବେ କୋହ ll

ଅନ୍ତରର କୋହ ଅଦେଖା ଅସ୍ପର୍ଶ 

             ହୁଏ ନାହିଁ ତାକୁ ଦେଖି 

ଅନୁଭବେ ଖାଲି ଅନ୍ତର କୋହକୁ 

              ଲୁହରେ ଜଣାଏ ଆଖି ll

ଏଇ ଲୁହ ପୁଣି ବେଳେବେଳେ ହୁଏ 

              ଜୀବନର ଚିର ସାଥୀ 

ଯନ୍ତ୍ରଣା ଦାହରେ ଜଳି ଜଳି ଏଠି 

              ଜୀବନଟା ଯାଏ ବିତି ll

ଲୁହ ଦୁଇ ଟୋପା କରିଦିଏ ସଫା 

            ମନର ବେଦନା ଯେତେ 

ସେଥିପାଇଁ ବୋଧେ ମଣିଷ ଆଖିରେ 

             ବିଧାତା ଦେଇଛି ସତେ ll

ଏଇ ଲୁହ ପୁଣି ମମତା ବନ୍ଧନେ 

              ମଣିଷକୁ ଦିଏ ବାନ୍ଧି 

ସ୍ନେହ ମମତାର ସମ୍ପର୍କ ରଜ୍ଜୁରେ 

              ଜୀବନକୁ ଦିଏ ଛନ୍ଦି ll

ଅକୁହା ବେଦନା ଅକୁହା କଥାକୁ 

             ଶୁଣିବଯେ ଏଠି କିଏ

ଲୁହକୁ ନିଗାଡ଼ି ଦୁଃଖୀ ମଣିଷଟି 

             ମନକୁ ବୁଝେଇ ଦିଏ ll

ଲୁହ ଝରିଗଲେ ଏ ଦୁଇ ଆଖିରୁ 

             ହାଲୁକା ହୁଅଇ ମନ 

ଇଚ୍ଛା ହୁଏ ପୁଣି ବଞ୍ଚିରହିବାକୁ 

             ଆଉ ବାକି କିଛି ଦିନ ll

ଭାରାକ୍ରାନ୍ତ ମନ ବ୍ୟଥିତ ଜୀବନ 

         ବେଳେବେଳେ ଲାଗେ ବିଷ 

ଲୁହ ହରିନିଏ ସେ ବିଷ ଜ୍ୱାଳାକୁ 

            ଫୁଟାଇ ଚେନାଏ ହସ ll

ଏଇ ଲୁହ ପୁଣି ମଣିଷ ଜୀବନେ 

            ଦେଖାଏ ବଞ୍ଚିବା ବାଟ 

ଦୁଃଖର ଛାଇକୁ ହଟାଇ ଜୀବନେ 

             ବସାଏ ସୁଖର ହାଟ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy