"ଲୁହ "
"ଲୁହ "


ଜୀବନର ଦୁଃଖ ଅସହ୍ୟ ହୋଇଲେ
ପ୍ରଶମିତ କରେ ଲୁହ
ନିର୍ଜନେ ଏକାକୀ ନୀରବତା ଢାଙ୍କି
ମନେ ଆସେ ଯେବେ କୋହ ll
ଅନ୍ତରର କୋହ ଅଦେଖା ଅସ୍ପର୍ଶ
ହୁଏ ନାହିଁ ତାକୁ ଦେଖି
ଅନୁଭବେ ଖାଲି ଅନ୍ତର କୋହକୁ
ଲୁହରେ ଜଣାଏ ଆଖି ll
ଏଇ ଲୁହ ପୁଣି ବେଳେବେଳେ ହୁଏ
ଜୀବନର ଚିର ସାଥୀ
ଯନ୍ତ୍ରଣା ଦାହରେ ଜଳି ଜଳି ଏଠି
ଜୀବନଟା ଯାଏ ବିତି ll
ଲୁହ ଦୁଇ ଟୋପା କରିଦିଏ ସଫା
ମନର ବେଦନା ଯେତେ
ସେଥିପାଇଁ ବୋଧେ ମଣିଷ ଆଖିରେ
ବିଧାତା ଦେଇଛି ସତେ ll
ଏଇ ଲୁହ ପୁଣି ମମତା ବନ୍ଧନେ
ମଣିଷକୁ ଦିଏ ବାନ୍ଧି
ସ୍ନେହ ମମତାର ସମ୍ପର୍କ ରଜ୍ଜୁରେ
ଜୀବନକୁ ଦିଏ ଛନ୍ଦି ll
ଅକୁହା ବେଦନା ଅକୁହା କଥାକୁ
ଶୁଣିବଯେ ଏଠି କିଏ
ଲୁହକୁ ନିଗାଡ଼ି ଦୁଃଖୀ ମଣିଷଟି
ମନକୁ ବୁଝେଇ ଦିଏ ll
ଲୁହ ଝରିଗଲେ ଏ ଦୁଇ ଆଖିରୁ
ହାଲୁକା ହୁଅଇ ମନ
ଇଚ୍ଛା ହୁଏ ପୁଣି ବଞ୍ଚିରହିବାକୁ
ଆଉ ବାକି କିଛି ଦିନ ll
ଭାରାକ୍ରାନ୍ତ ମନ ବ୍ୟଥିତ ଜୀବନ
ବେଳେବେଳେ ଲାଗେ ବିଷ
ଲୁହ ହରିନିଏ ସେ ବିଷ ଜ୍ୱାଳାକୁ
ଫୁଟାଇ ଚେନାଏ ହସ ll
ଏଇ ଲୁହ ପୁଣି ମଣିଷ ଜୀବନେ
ଦେଖାଏ ବଞ୍ଚିବା ବାଟ
ଦୁଃଖର ଛାଇକୁ ହଟାଇ ଜୀବନେ
ବସାଏ ସୁଖର ହାଟ ll